ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସରକାର ମିଶନ ଶକ୍ତି ( Mission Shakti) କୁ କେତେ ଅର୍ଥ ଆବଣ୍ଟନ କଲେଣି ? କେତେ ମହିଳା ଏଥିରେ ସାମିଲ ହେଲେଣି? କେତେ ମହିଳା ମିଶନ ଶକ୍ତି ଛାଡିଲେଣି ? ଏହାସହ କୋରାପୁଟ ଜିଲ୍ଲାରେ ସ୍ଥିତି କଣ? ଏମିତି ଆଜି ଏକାଧିକ ପ୍ରଶ୍ନ ବିଧାନସଭାରେ କରିଥିଲେ କଂଗ୍ରେସ ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହୀନିପତି ।
ଉତ୍ତରରେ ବିଭାଗୀୟ ମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ଓ ମିଶମ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ(Women& Child Development and Mission Shakti Minister Tukuni Sahu) କହିଥିଲେ ମିଶନ ଶକ୍ତିଏକ ସଫଳ ଅଭିଯାନ । ବର୍ତ୍ତମାନ ସୁଦ୍ଧା ସରକାର ମିଶନ ଶକ୍ତିକୁ ୮୧୯,୬୭,୩୩,୦୦୦ (ଆଠ ଶହ ଉଣେଇଷି କୋଟି ସତଷଠି ଲକ୍ଷ ତେତିଶି ହଜାର) ଟଙ୍କା ଅର୍ଥ ସହାୟତା ଆବଣ୍ଟନ କରିଛନ୍ତି। ଏଥିରେ ୭୦,୦୦,୦୧୦ (ସତୁରୀ ଲକ୍ଷ ଦଶ) ଜଣ ମହିଳା ସାମିଲ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୩ ଲକ୍ଷ ୪୮ ହଜାର ୧୯୨ ଜଣ ମହିଳା ମିଶନ ଶକ୍ତିରେ ସାମିଲ ହୋଇଛନ୍ତି।
କୋରାପୁଟ ଜିଲ୍ଲା ରେ ମିଶନ ଶକ୍ତିକୁ ୩୦ କୋଟି ୫୪ ଲକ୍ଷ 12 ହଜାର ଟଙ୍କା ଅର୍ଥ ସହାୟତା ବର୍ତ୍ତମାନ ସୁଦ୍ଧା ଆବଣ୍ଟନ କରାଯାଇଅଛି । ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ମାଛ ଚାଷ, ଛତୁ ଚାଷ, ପନିପରିବା ଚାଷ, ଧାନ ମଣ୍ଡୀ ପରିଚାଳନା, ମଧ୍ୟାହ୍ନ ଭୋଜନ ବଣ୍ଟନ, ସାଧାରଣ ବଣ୍ଟନ ବ୍ୟବସ୍ଥା ପରିଚାଳନା, ମିଶନ ଶକ୍ତି ଭୋଜନାଳୟ ପରିଚାଳନା, ପ୍ରାକ ବିଦ୍ୟାଳୟ ପୋଷାକ ବଣ୍ଟନ, ଡାକ୍ତରଖାନାରେ ରୋଗୀମାନଙ୍କୁ ଖାଦ୍ୟ ଦେବା, ଅଙ୍ଗନବାଡି କେନ୍ଦ୍ରକୁ ଛତୁଆ ବଣ୍ଟନ, କୁକୁଡା ଚାଷ, ଛେଳି ଚାଷ, ଅର୍ଥକାରୀ ଫସଲ ଚାଷ, ଚାରା ସୃଷ୍ଟି କରିବା, ମାଣ୍ଡିଆ ସଫା କରିବା ଯନ୍ତ୍ର ପରିଚାଳନା କରିବା ଓ ବିଦ୍ୟୁତ ବିଲ ଆଦାୟ କରିବା କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ବିଧାନସଭା ରେ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ