ଭୁବନେଶ୍ବର: ମିଛରେ ଅଭିନୟ କରୁ କରୁ ସତରେ ଆସିଥିଲା ହୃଦଘାତ । ଆଉ କେହି କିଛି ବୁଝିବା ଆଗରୁ ଗୁରୁତର ହୋଇପଡିଥିଲେ ବିଶିଷ୍ଟ ଓଡିଆ ହାସ୍ୟ ଅଭିନେତା ରବି ମିଶ୍ର । ଆଜି ସକାଳୁ ତାଙ୍କୁ କଟକ ମେଡିକାଲ ପରେ ଘରୋଇ ହସ୍ପିଟାଲର ଭର୍ତ୍ତି କରାଯାଇଥିଲା । ହେଲେ ମାତ୍ର 64 ବର୍ଷ ବୟସର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଅଭିନେତା । ଅଭିନେତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି ।
ଆଉ ନାହାଁନ୍ତି ‘ଗୋପାଳ ରହସ୍ୟ’ ପାଇଁ ପ୍ରସିଦ୍ଧି ଲାଭ କରିଥିବା ହାସ୍ୟ ଅଭିନେତା ରବି ମିଶ୍ର । ଫିଲ୍ମ, ସିରିଏଲ ଓ ମଞ୍ଚରେ ଅଭିନୟ କରୁଥିବା କଳାକାରଙ୍କ ଅଭିନୟ ଏପରି ଜୀବନ୍ତ ହୋଇପଡିବ କେହି କେବେ ଭାବି ନଥିବେ । ଗତକାଲି ରାତିରେ ‘ହେ ପ୍ରଭୁ’ ସିରିଏଲରେ ହୃଦଘାତର ଅଭିନୟ କରୁଥିବାବେଳେ ହଠାତ ହୃଦଘାତ ଆସିବାରୁ ସେ ଗୁରୁତର ହୋଇପଡିଥିଲେ । ଆଉ ଆଜି ସେ ଅଫେରା ରାଇଜର ଅସ୍ତ ରବି । ତାଙ୍କ ବିୟୋଗରେ ସାରା ଓଲିଉଡ ଓ ଟେଲିଭିଜନରେ ଜଗତରେ ଛାଇଯାଇଛି ଶୋକର ଛାୟା । ଟେଲି ସିରିଏଲ ‘ଗୋପାଳ ରହସ୍ୟ’ ପାଇଁ ରବି ମିଶ୍ର ବେଶ ପ୍ରଶଂସା ସାଉଁଟିଥିଲେ । ଓଡିଶାର ପ୍ରତିଟି ଘରର ପାଇଁ ସେ ଏକ ଚିହ୍ନା ମୁହଁ ପାଲଟିଥିଲେ । ତେବେ ‘ହେ ପ୍ରଭୁ’ ହେଉଛି ତାଙ୍କର ଶେଷ ଅଭିନୀତ ସିରିଏଲ ।
ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଶିଷ୍ଟ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜ ନିଖୁଣ ଅଭିନୟ ଦ୍ବାରା ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ଛାଡ଼ି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ନବୀନ ।
ଲୋକପ୍ରିୟ ଅଭିନେତା ରବି ମିଶ୍ରଙ୍କ ବିୟୋଗ ଖବରରେ ଧର୍ମେନ୍ଦ୍ର ପ୍ରଧାନ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି । ‘ଗୋପାଳ ରହସ୍ୟ’ ଧାରାବାହିକରେ ନିପୁଣ ଓ ବଳିଷ୍ଠ ଅଭିନୟ ତାଙ୍କୁ ଓଡିଶାର ଘରେ ଘରେ ପରିଚିତ କରାଇଥିଲା । କଳା ଜଗତ ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇରହିବ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଧର୍ମେନ୍ଦ୍ର ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ