ଭୁବନେଶ୍ବର : କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ବୟସ ବୃଦ୍ଧିକୁ ନେଇ ଉତ୍କଳ ଅଭିଭାବକ ସଂଘର ବିରୋଧ । କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ବୟସ ବୃଦ୍ଧିକୁ ବିରୋଧ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛି ଉତ୍କଳ ଅଭିଭାବକ ସଂଘ। 5 ବର୍ଷ ପରିବର୍ତ୍ତେ 6 ବର୍ଷରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଜାତୀୟ ଶିକ୍ଷାନୀତି ଅନୁଯାୟୀ ଅନ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଦାବି କରାଯାଇଛି ।
କେନ୍ଦ୍ରୀୟ ବିଦ୍ୟାଳୟରେ ଆଡ଼ମିଶନ ବୟସ ସୀମା 6 ବର୍ଷ ରହିଛି। ବୁଧବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପୂର୍ବରୁ 5 ବର୍ଷରୁ ଆଡ଼ମିଶନ ଲାଗି ଯୋଗ୍ୟ ହେଉଥିଲେ ଛାତ୍ରଛାତ୍ରୀ। ମାତ୍ର ଏହି ନିୟମ ଲାଗୁ ଦ୍ୱାରା ଛାତ୍ରଛାତ୍ରୀ କେବଳ ଗୋଟିଏ ଥର ସୁଯୋଗ ପାଇବେ ।
ଯାହାକୁ ନେଇ ପ୍ରଶ୍ନ ଉଠିଛି ଉତ୍କଳ ଅଭିଭାବକ ସଂଘ। ମହାମାରୀ ସମୟରେ କେବଳ ଚଳିତ ବର୍ଷ ଲାଗି 5 ବର୍ଷରୁ ଅଧିକ ବୟସ ପିଲାଙ୍କୁ ଆଡ଼ମିଶନ ଦେବା ଦାବିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛି ସଂଘ। ଅନ୍ୟପଟେ ପ୍ରଥମରୁ ସପ୍ତମ ଶ୍ରେଣୀ ଆସନ୍ତା 28 ତାରିଖରୁ ଖୋଲିବା ନିଷ୍ପତ୍ତିକୁ ନେଇ ସମସ୍ତେ ଦ୍ବନ୍ଦ୍ୱରେ ଥିବା କହିଛି ସଂଘ । ଏହାସହ ଅଭିଭାବକମାନେ କୋରୋନା ଭଳି ବିପତ୍ତିକୁ ସମ୍ମୁଖୀନ ହେଉଥିବାବେଳେ ଏହି ନିଷ୍ପତ୍ତି ଏବେ କାର୍ଯ୍ୟକାରୀ ନ କରି 2024 ପରେ କାର୍ଯ୍ୟକାରୀ କରିବାକୁ ସଂଘ ମନ୍ତ୍ରୀଙ୍କ ନିକଟରେ ଦାବି ରଖିଛି। ନିଷ୍ପତ୍ତି ସମ୍ପର୍କରେ ପୁନର୍ବିଚାର ନ କଲେ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛି ସଂଘ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ