ଭୁବନେଶ୍ୱର: ରାଜଧାନୀରେ ଅନୁଷ୍ଠିତ ହୋଇଛି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପୂର୍ବାଞ୍ଚଳ ଜୋନ୍ସ୍ତରୀୟ ସମ୍ମିଳନୀ । କାର୍ଯ୍ୟକ୍ରମକୁ ଭିସି ଜରିଆରେ ଉଦଘାଟନ କରିଛନ୍ତି ବିଭାଗୀୟ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ବୈଠକରେ ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରର ପ୍ରତିନିଧି ଯୋଗ ଦେଇଛନ୍ତି । ମିଶନ ପୋଷଣ 2.0, ମିଶନ ଶକ୍ତି ଏବଂ ମିଶନ ବାତ୍ସଲ୍ୟ ଯୋଜନାର ସଫଳ ରୂପାୟନ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ରାଜ୍ୟ ସରକାର ଏବଂ ଅଂଶୀଦାରମାନଙ୍କ ସହ ବିଚାରବିମର୍ଷ ପାଇଁ ଏହି ଜୋନ୍ ସ୍ତରୀୟ ସମ୍ମିଳନୀ ଆୟୋଜନ ହୋଇଛି ।
ଦେଶର ମୋଟ ଜନସଂଖ୍ୟା ମଧ୍ୟରୁ ୬୭.୭% ମହିଳା ଓ ଶିଶୁ । ଏମାନଙ୍କର ସୁରକ୍ଷା ଏବଂ ସଶକ୍ତିକରଣ ସହିତ ସାମଗ୍ରିକ ବିକାଶ ପାଇଁ ଏକ ନିରାପଦ ଓ ସୁରକ୍ଷିତ ପରିବେଶ ଯୋଗାଇ ଦେବା ବିଭାଗର ଲକ୍ଷ୍ୟ । ଏହା ମାଧ୍ୟମରେ ଦେଶର ଦୀର୍ଘସ୍ଥାୟୀ ଏବଂ ସମାନତାପୂର୍ଣ୍ଣ ବିକାଶ ସମ୍ଭବ ହୋଇପାରିବ । ଆର୍ଥିକ ଏବଂ ସାମାଜିକ ପରିବର୍ତ୍ତନ ଲକ୍ଷ୍ୟ ହାସଲ କରାଯାଇପାରିବ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୩ଟି ପ୍ରମୁଖ ଯୋଜନାକୁ ମଞ୍ଜୁରୀ ମିଳିଛି । ଏସବୁ ଯୋଜନା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିବ ।
ମିଶନ ପୋଷଣ 2.0, ମିଶନ ଶକ୍ତି ଏବଂ ମିଶନ ବାତ୍ସଲ୍ୟ । ପଞ୍ଚଦଶ ଅର୍ଥ ଆୟୋଗଙ୍କ ଅବଧି ଅର୍ଥାତ୍ ୨୦୨୧-୨୨ଠାରୁ ୨୦୨୫-୨୬ ମଧ୍ୟରେ ଏହି ତିନୋଟି ମିଶନ୍ କାର୍ଯ୍ୟକାରୀ କରାଯିବ । ଏହି ମିଶନଗୁଡ଼ିକ ଅଧୀନରେ ଯୋଜନାଗୁଡ଼ିକ କେନ୍ଦ୍ର ପ୍ରାୟୋଜିତ ଯୋଜନା ଭାବେ କାର୍ଯ୍ୟକାରୀ କରାଯିବ । ଖର୍ଚ୍ଚ ବିଭାଜନ ନିୟମ ଅନୁଯାୟୀ, କେନ୍ଦ୍ର ଭାଗ ସହିତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନେ ନିଜ ଭାଗ ଅର୍ଥ ମିଶାଇ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବେ । ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ଯୋଜନାର ମାର୍ଗଦର୍ଶିକା ଜାରି କରାଯାଉଛି ।
ମନ୍ତ୍ରଣାଳୟର ତିନୋଟି ପ୍ରମୁଖ ମିଶନର ସୁପରିଚାଳନା ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସଚେତନ କରାଇବା । ଯାହାଫଳରେ ସେମାନେ ଆସନ୍ତା ୫ବର୍ଷ ମଧ୍ୟରେ ଏହିସବୁ ଯୋଜନାକୁ ବାସ୍ତବ ସହଯୋଗୀ ସଂଘୀୟ ଭାବନା ନେଇ ଉପଯୁକ୍ତ ଢଙ୍ଗରେ କାର୍ଯ୍ୟକାରୀ କରିପାରିବେ । ଏହାଦ୍ୱାରା ଦେଶର ମହିଳା ଓ ଶିଶୁମାନଙ୍କର ଲାଭ ପାଇଁ ଏସବୁ ମିଶନ ଅଧୀନରେ ପରିକଳ୍ପନା କରାଯାଇଥିବା ସାମାଜିକ ପରିବର୍ତ୍ତନ ଲକ୍ଷ୍ୟ ହାସଲ ହୋଇପାରିବ ।
ମିଶନ ପୋଷଣ 2.0 ହେଉଛି ଏକ ସମନ୍ୱିତ ପୁଷ୍ଟିସାଧନ ସହାୟତା କାର୍ଯ୍ୟକ୍ରମ । ଏହା ଅଧୀନରେ ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କର ଅପପୁଷ୍ଟି ସମସ୍ୟା ଦୂର କରିବା ଲାଗି ପୋଷଣ ସାମଗ୍ରୀ ଓ ବିତରଣରେ ଏକ ରଣନୈତିକ ପରିବର୍ତ୍ତନ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିସହିତ ସ୍ୱାସ୍ଥ୍ୟ, କଲ୍ୟାଣ ଓ ପ୍ରତିଷେଧକ ପ୍ରଣାଳୀକୁ ପ୍ରୋତ୍ସାହିତ କରୁଥିବା ଅଭ୍ୟାସ ବିକଶିତ କରିବା ଏବଂ ପ୍ରୋତ୍ସାହନ ଦେବା ପାଇଁ ଏକ ଇକୋସିଷ୍ଟମ ବିକାଶ କରିବା ଏହି ଯୋଜନାର ଉଦ୍ଦେଶ୍ୟ ।
ଏଥିସହିତ, ସହାୟକ ପୁଷ୍ଟିସାଧନ କାର୍ଯ୍ୟକ୍ରମ ଅଧୀନରେ ଖାଦ୍ୟର ଗୁଣବତ୍ତା ଏବଂ ବିତରଣକୁ ଅନୁକୂଳ କରିବା ଲାଗି ପୋଷଣ 2.0 ଯୋଜନା ଅଧୀନରେ ଲକ୍ଷ୍ୟ ରଖାଯାଇଛି । ପୋଷଣ 2.0 କାର୍ଯ୍ୟକ୍ରମ ତିନୋଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ/ଯୋଜନାକୁ ଏହାର ପରିଧି ମଧ୍ୟକୁ ଆଣିବ । ଅଙ୍ଗନୱାଡ଼ି ସେବା, କିଶୋରୀ ବାଳିକାଙ୍କ ପାଇଁ ଯୋଜନା ଏବଂ ପୋଷଣ ଅଭିଯାନ । ଭୁବନେଶ୍ଵରରେ ଏହା ପଞ୍ଚମ ଓ ଅନ୍ତିମ ସମ୍ମିଳନୀ । ପ୍ରଥମ ସମ୍ମିଳନୀ ୦୨ ଏପ୍ରିଲରେ ଚଣ୍ଡିଗଡ଼, ଦ୍ଵିତୀୟ ସମ୍ମିଳନୀ ୦୪ ଏପ୍ରିଲରେ ବେଙ୍ଗାଲୁରୁ, ତୃତୀୟ ୧୦ ଏପ୍ରିଲରେ ଗୌହାଟି ଏବଂ ଚତୁର୍ଥ ୧୨ ଏପ୍ରିଲରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ