ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୋଳରେ ୫୫୦ ଶଯ୍ୟା ବ୍ୟବସ୍ଥା କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ମହାନଦୀ କୋଲ ଫିଲ୍ଡ ଲିମିଟେଡ (ଏମସିଏଲ୍)କୁ ଦେଲେ ନିର୍ଦ୍ଦେଶ ।
ଧମେନ୍ଦ୍ର କେନ୍ଦ୍ର ଖଣିମନ୍ତ୍ରୀଙ୍କୁ ଚିଠି ଲେଖି ସମ୍ବଲପୁର ଠାରେ ୧୫୦ଟି ଅକ୍ସିଜେନ୍ ସଂଯୁକ୍ତ ବେଡ୍, ଆଇସିୟୁ ଏବଂ ଭେଣ୍ଟିଲେଟର ସୁବିଧା ସହ ଅସ୍ଥାୟୀ ଭାବେ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା, ସୁନ୍ଦରଗଡ଼ ଜିଲ୍ଲାର ଏମସିଏଲର ବସୁନ୍ଧରା ଏବଂ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳରେ ଥିବା କୋଭିଡ୍ ହସ୍ପିଟାଲରେ ୫୦ଟି ଲେଖାଏଁ ଅକ୍ସିଜେନ୍ ସଂଯୁକ୍ତ ବେଡ଼ ସହ ଆଇସିୟୁ ଏବଂ ଭେଣ୍ଟିଲେଟର ସୁବିଧା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଅନୁରୂପ ଭାବରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର କୋଭିଡ୍ ହସ୍ପିଟାଲ ଏବଂ ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଏମସିଏଲର କୋଭିଡ୍ ହସ୍ପିଟାଲ ଠାରେ ୧୫୦ଟି ଲେଖାଏଁ ଅକ୍ସିଜେନ୍ ସଂଯୁକ୍ତ ବେଡ଼, ଆଇସିୟୁ ଏବଂ ଭେଣ୍ଟିଲେଟରର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ ।
ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଖଣିମନ୍ତ୍ରୀ ଲେଖିଥିବା ପତ୍ରରେ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏମସିଏଲ୍ ଓଡ଼ିଶାରେ କୋଭିଡ୍ ବିରୋଧୀ ଲଢ଼େଇରେ ବ୍ୟାପକ ଯୋଗଦାନ କରିଆସୁଛି । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନେତୃତ୍ୱରେ ଏମସିଏଲ ଭୁବନେଶ୍ଵରରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ୧୨୦୦ ବେଡ଼ ସ୍ପୋନ୍ସର କରୁଛି । ତାଳଚେର ଠାରେ ମଧ୍ୟ ଅନୁରୂପ ଭାବରେ ଏହି ସୁବିଧା ଯୋଗାଉଛି । ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଏବଂ ଲଖନପୁର, ସୁନ୍ଦରଗଡ଼ର ବସୁନ୍ଧରା, ସମ୍ବଲପୁର ସ୍ଥିତ ଏମସିଏଲର ମୁଖ୍ୟ କାର୍ଯ୍ୟାଳୟ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା କରି ଲୋକଙ୍କୁ ସୁବିଧା ପ୍ରଦାନ କରୁଛି ।
ଜିଲ୍ଲା ପ୍ରଶାସନ, ଆଗଧାଡ଼ିର କୋଭିଡ୍ ଯୋଦ୍ଧା ଏବଂ ସାମାଜିକ ସଂଗଠନଗୁଡ଼ିକୁ ଏମସିଏଲ୍ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ, ଅକ୍ସିଜେନ୍, ପିପିଇ କିଟ୍ ଏବଂ ଖାଦ୍ୟ ପ୍ୟାକେଟ୍ ପ୍ରଦାନ କରିଆସୁଛି । ଏହାସହ କୋଭିଡ-୧୯ ପରିଚାଳନା ପାଇଁ ଏମସିଏଲର ୧୪୦ କୋଟି ଦାନକୁ ଧର୍ମେନ୍ଦ୍ର ପ୍ରଶଂସା କରିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ