ଭୁବନେଶ୍ବର: କୋରୋନା ମହାମାରୀର ପ୍ରଭାବ ସମଗ୍ର ବିଶ୍ବକୁ ଅତ୍ୟନ୍ତ ଦୁଃସହ କରିଦେଇଛି । ଯାହାର ପ୍ରଭାବ ବିଶ୍ବର ସାମାଜିକ ଓ ଆର୍ଥିକ ଅବସ୍ଥାକୁ ଛାରଖାର କରିଦେଇଛି । ତେବେ ବିଭିନ୍ନ ଦେଶର ଆର୍ଥିକ ଓ ସାମାଜିକ ପ୍ରଗତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ନିର୍ମାଣ ଶିଳ୍ପ ଏହି ମହାମାରୀ ପାଇଁ ଅତି କରୁଣ ଭାବେ ବିପର୍ଯ୍ୟସ୍ତ ହୋଇଛି । ହଜାର ହଜାର ଓ କୋଟି କୋଟି ଟଙ୍କାରେ ନିର୍ମାଣଧୀନ ଅନେକ ସରକାରୀ ଓ ବେସରକାରୀ ପ୍ରକଳ୍ପ ଏଥିଯୋଗୁଁ ବନ୍ଦ ହୋଇଯାଇଛି । ଫଳରେ ଏଭଳି ଶିଳ୍ପରେ ଜଡିତ ଦେଶ ଓ ରାଜ୍ୟର ଲକ୍ଷାଧିକ ଶ୍ରମିକ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସରକାରଙ୍କ ନିର୍ଦେଶପାଳନ କରି ସେମାନେ ସିନା ଯେଉଁଠି ଅଛନ୍ତି ସେଇଠି ବାଧ୍ୟରେ ରହିଛନ୍ତି । କିନ୍ତୁ ସେମାନଙ୍କ ନିକଟରେ ଅର୍ଥ ନଥିବାରୁ ସେମାନେ ପେଟକୁ ଠିକ୍ରେ ମୁଠାଏ ଦାନା ଦେଇ ପାରୁନାହାନ୍ତି । ଏମିତିକି ସେମାନଙ୍କୁ ସେମାନଙ୍କ କମ୍ପାନୀ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ସହାୟତା ଉଚିତ ଭାବେ ମିଳୁନାହିଁ । ଏଣେ ନିଜେ ଭୋକ ଉପାସରେ ରାହୁଥିବାବେଳେ ସେମାନଙ୍କୁ ନିଜ ପରିବାର ଚିନ୍ତା ମଧ୍ୟ ଘାରୁଛି । ସେମାନଙ୍କ ପାଇଁ ପଇସା ପଠାଇ ହେଉନି କି ସେମାନେ ଗାଁକୁ ଯିବା ପାଇଁ ସରକାର କୌଣସି ପ୍ରକାର ବନ୍ଦୋବସ୍ତ କରୁନାହାନ୍ତି । ତେଣୁ ସରକାର ସେମାନଙ୍କୁ ଯଦି ରହିବା ପାଇଁ କହୁଛନ୍ତି ସେମାନଙ୍କୁ ପେଟ ଭରିବା ପାଇଁ ବ୍ୟବସ୍ଥା କରନ୍ତୁ ନଚେତ ଏଠାରେ କାମ କରିବାର ସୁଯୋଗ ଦିଅନ୍ତୁ ବା ଘରକୁ ଯିବା ପାଇଁ ବନ୍ଦୋବସ୍ତ କରିବାକୁ ଦାବି କରିଛନ୍ତି ।
ସେହିପରି ବିଲଡରମାନେ ମଧ୍ୟ ଏହି ବନ୍ଦ ଯୋଗୁଁ ଅନେକ ଚିନ୍ତାରେ ଅଛନ୍ତି । ଏହା ଦ୍ବାରା ସେମାନେ ଆହୁରି ଏକ ବର୍ଷ ପାଖାପାଖି ପଛକୁ ଫେରିଯିବ ଭଳି ମନେ କରୁଛନ୍ତି । ସେମାନେ ଲୋକମାନଙ୍କୁ ଦେଇଥିବା କଥା ଅନୁସାରେ କାର୍ଯ୍ୟ ସମ୍ପାଦନ ନକରିବାର ଭୟ ରହିଥିବା କହିଛନ୍ତି । ଆହୁରି ମଧ୍ୟ ଯେଉଁ ଶ୍ରମିକମାନେ ଅଛନ୍ତି ସେମାନଙ୍କୁ ଉଚିତ ସମୟରେ ଅର୍ଥ ଦିଆ ଯାଇ ପାରୁନାହିଁ । ଫଳରେ ସେମାନେ ହଇରାଣ ହେଉଥିବା କହିଛନ୍ତି ।
ଠିକ ସମୟରେ ବିଲ ପ୍ରସ୍ତୁତ ହୋଇ ନପାରବାରୁ ସରକାରୀ କାର୍ଯ୍ୟ କରୁଥିବା ଇଞ୍ଜିନିୟରମାନେ ସରକାର ଟଙ୍କା ମଞ୍ଜୁର କରୁନାହାନ୍ତି । ଯାହା ଫଳରେ ଶ୍ରମିକ ମାନଙ୍କୁ ସେମାନଙ୍କ ମଜୁରୀ ମଧ୍ୟ ଦେଇ ହେଉନଥିବା କହିଛନ୍ତି । ତେବେ ଏପରି ସମୟରେ ସରକାର ଯଦି ଅର୍ଥନୀତିକୁ ଗତିଶୀଳ କରିବାରେ ଏହି ଶିଳ୍ପର ଭୂମିକା ଥିବାରୁ ଏହି ଶିଳ୍ପପ୍ରତି ସ୍ବତନ୍ତ୍ର ଭାବେ କାର୍ଯ୍ୟକ୍ରମ ଗ୍ରହଣ କରନ୍ତି ତେବେ ନିଶ୍ଚିତ ଭାବେ ଅନେକ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇ ପାରିବା ସହ ସେମାନଙ୍କ ଦୁଃଖ ଦୂର କରିବାରେ ସହାୟକ ହେବ ବୋଲି କୁହାଯାଏ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ