ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି । କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ଦେଇଛନ୍ତି ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି । ମୋ ସରକାର କାର୍ଯ୍ୟକ୍ରମରେ କୋଭିଡ ପରିଚାଳନା ସଂପର୍କରେ ରାଜ୍ୟ ସରକାର ଫିଡବ୍ୟାକ୍ ସଂଗ୍ରହ କରୁଛନ୍ତି । ଏହି ତଥ୍ୟ ଭିତ୍ତିରେ ନିମ୍ନୋକ୍ତ ବିଷୟ ଉପରେ ଗୁରୁତ୍ବ ଆରୋପ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଦେଇଥିବା 7 ସୁତ୍ରୀ ପରାମର୍ଶ ମଧ୍ୟରେ
୧. ଜିଲ୍ଲାସ୍ତରରେ କୋଭିଡ ଚିକିତ୍ସା କେନ୍ଦ୍ର ଗୁଡିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଏବଂ ମେଡିକାଲ ଅକ୍ସିଜେନ ସୁବିଧା ସବୁଠାରୁ ବଡ ପ୍ରାଥମିକତା । ଏହା ଉପରେ ୨୪ ଘଣ୍ଟିଆ ତଦାରଖ କରାଯିବା ଆବଶ୍ୟକ ।
୨. ଅଧିକ କୋଭିଡ ସଂଖ୍ୟା ଥିବା ଅଞ୍ଚଳ ଗୁଡିକରେ ଟେଷ୍ଟିଂ, ଟ୍ରେସିଂ ଓ କଣ୍ଟେନମେଣ୍ଟକୁ ଜୋରଦାର କରିବାକୁ ନିର୍ଦ୍ଦେଶ
୩.ICU ଓ HDU ଦାୟିତ୍ବରେ ଥିବା ଡାକ୍ତରମାନଙ୍କଠାରୁ ସିଧାସଳଖ ଫିଡବ୍ୟାକ୍ ନେଇ ସେମାନଙ୍କ ମତାମତ ଭିତ୍ତିରେ ପଦକ୍ଷେପ ।
୪. ଟୀକାକରଣ କାର୍ଯ୍ୟକ୍ରମ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ତ୍ରୁଟିଶୂନ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ବ । ବୟସ୍କ, ମହିଳା ଓ ଦୁର୍ବଳ ଶ୍ରେଣୀର ଲୋକଙ୍କର ଯତ୍ନ ନିଆଯିବ । ଯେତେଶୀଘ୍ର ସମ୍ଭବ ଅଧିକ ସଂଖ୍ୟକ ଟୀକା ସଂଗ୍ରହ ପାଇଁ ଆମର ଉଦ୍ୟମ ଜାରି ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
୫.କୋଭିଡ ଚିକିତ୍ସା କରୁଥିବା ବେସରକାରୀ ମେଡିକାଲ ଉପରେ ସତର୍କ ଦୃଷ୍ଟି ରଖିବ । ସେମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଭିତରେ ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରିବାକୁ ବାଧ୍ୟ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଯଦି ସେମାନେ ଏହାକୁ ଖିଲାପ କରନ୍ତି ତେବେ ସଂପୃକ୍ତ ହସ୍ପିଟାଲ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
୬. କୋଭିଡ ହସ୍ପିଟାଲ ଗୁଡିକରେ ହେଲ୍ପ ଲାଇନ ଗୁଡିକୁ ଅଧିକ କ୍ରିୟାଶୀଳ କରାଯାଉ । ରୋଗୀଙ୍କ ପରିବାରବର୍ଗଙ୍କୁ ଏ ବାବଦରେ ନିୟମିତ ସୂଚନା ଦିଆଯାଉ ।
୭. ଏଭଳି କଠିନ ସମୟରେ ଦୁଃଖ ଓ ଦାରିଦ୍ର୍ୟରେ ଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ବ୍ୟବହାର କରି ସାହାଯ୍ୟ କର ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକ ମାସରେ ରାଜ୍ୟର ଅନେକ ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବହୁ ପରିମାଣରେ ବଢିଛି । ହେଲେ କୋଭିଡ ଯୋଦ୍ଧାଙ୍କର ଦୃଢ ପରିଶ୍ରମ ଓ ଜନସାଧାରଣଙ୍କ ସହଯୋଗ ଯୋଗୁ ପରିସ୍ଥିତିକୁ ଠିକ୍ ଭାବରେ ପରିଚାଳନା କରାଯାଇପାରିଛି । ତଥାପି ଆହ୍ବାନ ବହୁତ ବଡ ଏବଂ ଏହି ଯୁଦ୍ଧ ବହୁତ ଲମ୍ବା । ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଲକ୍ଡାଉନ ଲାଗୁ କରାଯାଇଛି । ଏହା ଠିକ୍ ଚାଲିଥିଲେ ମଧ୍ୟ କେତେକ ସ୍ଥାନରେ ଏଥିରେ ଅଧିକ ଉନ୍ନତିର ଆବଶ୍ୟକତା ରହିଥିବା ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆମେ ସଫଳତା ପାଇଛୁ । କୋଭିଡ ମହାମାରୀ କ୍ଷେତ୍ରରେ ମଧ୍ୟ ଏହା ହିଁ ଉପଯୁକ୍ତ ପନ୍ଥା । ତେଣୁ ସହରାଞ୍ଚଳରେ ସ୍ଥାନୀୟ ଜନସାଧାରଣ ଏବଂ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମାଞ୍ଚଳରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ସକ୍ରିୟ ସହଯୋଗରେ ଲୋକଙ୍କ ସହାୟତା କରଯିବା ଆବଶ୍ୟକ । ଦେଶର ଅଳ୍ପ କେତେକ ରାଜ୍ୟଙ୍କ ମଧ୍ୟରେ ଓଡିଶା ହେଉଛି ଏକ ରାଜ୍ୟ, ଯେଉଁଠାରେ କୋଭିଡର ପରୀକ୍ଷା ଠାରୁ ଆରମ୍ଭ କରି ଚିକିତ୍ସା, ରହିବା ସୁବିଧା, ଖାଦ୍ୟ ଓ ଔଷଧ ପର୍ଯ୍ୟନ୍ତ ସବୁକିଛି ସରକାର ମାଗଣାରେ ଦେଉଛନ୍ତି । ଏହାଦ୍ବାରା ସବୁବର୍ଗର ଲୋକ, ବିଶେଷ କରି ଗରିବ ଲୋକମାନେ ଭଲ ଭଲ ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ନିର୍ଭୟରେ ଆଗେଇ ଆସୁଛନ୍ତି । ଏଥିପାଇଁ ସରକାର ତାଙ୍କ ସମ୍ବଳର ଏକ ବଡ ଅଂଶ ଖର୍ଚ୍ଚ କରୁଛନ୍ତି । ତେଣୁ ଲୋକଙ୍କୁ ଉତ୍ତମ ମାନର ସେବା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମହାମାରୀକୁ ନିୟନ୍ତ୍ରଣ କରିବାକୁ ଟୀକାକରଣ ହେଉଛି ଆମର ମୁଖ୍ୟ ରଣନୀତି । ପରିସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ହେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଜନସାଧାରଣଙ୍କୁ ମାସ୍କ ବ୍ୟବହାର, ହାତ ଧୁଆ ଓ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହା ସହିତ ଅନାବଶ୍ୟକ ଭାବେ ବାହାରେ ନବୁଲି ଘରେ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତୃତୀୟ ଲହରୀର ସମ୍ଭାବନା ସଂପର୍କରେ ତଥ୍ୟ ସଂଗ୍ରହ ସହିତ ସମ୍ଭାବ୍ୟ ମୁକାବିଲା ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପୁରୀରେ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତ ଓ ସେମାନଙ୍କ ପରିବାରବର୍ଗଙ୍କ ସଂପୂର୍ଣ୍ଣ ଟୀକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ ହସ୍ପିଟଲ ଗୁଡିକରେ ଚିକିତ୍ସାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
କୋଭିଡ ପର୍ଯ୍ୟବେକ୍ଷକମାନେ ଏହି ପରିସ୍ଥିତି ଉପରେ ନଜର ରଖିଛନ୍ତି । ଅକ୍ସିଜେନ ବ୍ୟବସ୍ଥାର 24 ଘଣ୍ଟିଆ ତଦାରଖ କରାଯାଉଛି । କୋଭିଡ କେୟାର କେନ୍ଦ୍ର ଗୁଡିକରେ ଅଧିକ ICU ଓ ଭେଣ୍ଟିଲେଟର ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏବଂ ଆହୁରି ଅଧିକ ଶଯ୍ୟା ପାଇଁ ପଦକ୍ଷେପ ଜାରି ରହିଛି । ସାରା ବିଶ୍ବରେ ବର୍ତ୍ତମାନ ଭାରତର କୋଭିଡ ସଂକ୍ରମଣ ସଂଖ୍ୟା 54 ପ୍ରତିଶତ ରହିଛି । ଓଡିଶାର କୋଭିଡ ସଂଖ୍ୟା ବର୍ତ୍ତମାନ ଦେଶର କୋଭିଡ ସଂଖ୍ୟାର 2.7 ପ୍ରତିଶତ ରହିଛି । ସର୍ବଭାରତୀୟ ସ୍ତରରେ ମୃତ୍ୟୁ ହାର 1.09 ଥିବାବେଵେ, ଓଡିଶାରେ ଏହା 0.40 ରହିଛି ।
ଖୋର୍ଦ୍ଧା ଓ କଟକ ଜିଲ୍ଲା ବ୍ୟତୀତ ଛତିଶଗଗଡ ସୀମାନ୍ତ ଜିଲ୍ଲା ଗୁଡିକରେ ଅଧିକ ପଜିଟିଭ କେସ୍ ରହୁଛି ବୋଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ସୂଚନା ଦେଇଛନ୍ତି । ଓଡିଶାର ବର୍ତ୍ତମାନ ଟେଷ୍ଟ ପଜିଟିଭ ଗତ 15 ଦିନ ଧରି 20.2 ପ୍ରତିଶତ ରହିଛି । ରାଜ୍ୟରେ ବର୍ତ୍ତମାନ ଦୈନିକ 52.9 ମେଟ୍ରିକ ଟନ୍ ଅକ୍ସିଜେନ ଖର୍ଚ୍ଚ ହେଉଛି । କୋଭିଡ ନିୟମାବଳୀ କଡାକଡି ଭାବେ ତଦାରଖ କରାଯାଉଛି । ନିୟମ ଉଲଘଂନ ପାଇଁ ବର୍ତ୍ତମାନ ସୁଦ୍ଧା 28 କୋଟି 91 ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି । ବିଭିନ୍ନ କୋଭିଡ ଚିକିତ୍ସାଳୟରେ ଅଗ୍ନି ନିୟନ୍ତ୍ରଣ ସଂପର୍କରେ ନିଆଯାଉଥିବା ପଦକ୍ଷେପ ଉପରେ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ବୈଠକରେ ସମ୍ବଲପୁର, ବରଗଡ, ପୁରୀ, କଟକ ଓ ଭୁବନେଶ୍ବର ମହାନଗର ନିଗମରେ କୋଭିଡ ପରିଚାଳନା ସଂପର୍କରେ ଜିଲ୍ଲାପାଳ ଓ କମିଶନରମାନେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ବୈଠକକୁ ସଂଯୋଜନା କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ