ଭୁବନେଶ୍ବର: ଆସନ୍ତା 16ରେ ହେବାକୁ ଥିବା କୋରୋନା ଟୀକାକରଣ ନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟ ଭ୍ୟାକ୍ସିନ ଷ୍ଟୋରରେ ପହଞ୍ଚି ସ୍ଥିତି ପରଖିଛନ୍ତି । ଟୀକା ପାଇଁ ଯେଉଁ ଅପେକ୍ଷା ଥିଲା ତାହା ଶେଷ ହୋଇଛି । ସ୍ପାଇସ-ଜେଟର ସ୍ବତନ୍ତ୍ର ବିମାନରେ ଆଜି ଭୁବନେଶ୍ବରରେ ଆସି କୋରୋନା ଟିକା ପହଞ୍ଚିଛି । ଯାହାପରେ ଭ୍ୟାକ୍ସିନ ଷ୍ଟୋରର ପହଞ୍ଚି ସ୍ଥିତି ପରଖିଛନ୍ତି ପ୍ରଦୀପ୍ତ ମହାପାତ୍ର ।
ପ୍ରଥମ ପର୍ଯ୍ୟାୟରେ ଆସିଥିବା କୋଭିସିଲ୍ଡର 40 ହଜାର 8 ଶହ ସିସି(ସ୍ମଲ ବଟଲ) ଆସିବ । ଗୋଟିଏ ବୋତଲରୁ 10ଟି ଡୋଜ ଦିଆଯାଇପାରିବ । ସେହି ଅନୁସାରେ ଆଜି(ମଙ୍ଗଳବାର) ଯେତିକି ଟିକା ପହିଞ୍ଚିଛି ତାହା କେବଳ 1 ଲକ୍ଷ 91 ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇପାରିବ । ପ୍ରଥମ ଫେଜ ଟୀକାକରଣ ଲାଗି ବୟସ୍କ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରାଧାନ୍ୟ ଦିଆଯିବ ।
ଯେଉଁମାନଙ୍କୁ ଟୀକା ଦିଆଯିବ, ସେମାନଙ୍କ ପାଖକୁ ମେସେଜ ଯିବ । ଯେଉଁ ଜିଲ୍ଲାରେ କୋଭିଡ ସ୍ଥିତି ସଙ୍ଗୀନ ଥିଲା, ସେସବୁ ସ୍ଥାନକୁ ଗୁରୁତ୍ବ ଦିଆଯିବ । ରାଜ୍ୟ ଭ୍ୟାକ୍ସିନ ଷ୍ଟୋରର ଟିକା ପହଞ୍ଚିବା ପରେ ଜିଲ୍ଲାସ୍ତରକୁ ନେବା ଲାଗି ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି ।
ସେମାନେ ଆଜି(ମଙ୍ଗଳବାର) କିମ୍ବା ଆସନ୍ତାକାଲି(ବୁଧବାର) ଭିତରେ ଗାଡି ପଠାଇ ଟିକା ନେଇଯିବେ । ଏହାସହ 20 ହଜାର କୋଭାକ୍ସିନ ମଧ୍ୟ ରାଜ୍ୟକୁ ଆସିବ ବୋଲି କେନ୍ଦ୍ର ସରକାର ଜଣାଇଛନ୍ତି । ଦ୍ବିତୀୟ ଫେଜ ପାଇଁ ଡାଟା ପ୍ରସ୍ତୁତ କରିବା ଲାଗି ଗୃହ, ରାଜସ୍ବ ବିପର୍ଯ୍ୟୟ ପରିଚାଳନା ଏବଂ ଅର୍ବାନ ବିଭାଗକୁ ଚିଠି କରାଯାଇଛି । ଜାନୁଆରୀ 25 ସୁଦ୍ଧା ଡାଟାବେସ ପ୍ରସ୍ତୁତ କରାଯିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ