ଭୁବନେଶ୍ବର: ସ୍ଥାନୀୟ କରାଟେ ସ୍କୁଲ ପରିସରରେ 28ତମ ରାଜ୍ୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି। ଯାହାକୁ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦ୍ଘାଟନ କରିଛନ୍ତି।
ଏହି ଅବସରରେ ତୁଷାରକାନ୍ତି ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରୀଡାକୁ ପ୍ରୋତ୍ସାହନ ଆମ ରାଜ୍ୟକୁ କ୍ରୀଡା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ଆଣି ଦେଇଥିବା କହିଛନ୍ତି । ସେହିଭଳି ରାଜ୍ୟରେ ଥିବା କ୍ରୀଡା ଅନୁଷ୍ଠାନ ଗୁଡିକ ସେମାନଙ୍କ ନିଷ୍ଠା ଓ ପାରଦର୍ଶିତା ଯୋଗୁଁ ଅନେକ କ୍ରୀଡା ପ୍ରତିଭାଙ୍କୁ ପରିଚୟ ଦେବାରେ ସହାୟକ ହୋଇଛି ବୋଲି କହିବା ସହ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଉତ୍ସବରେ ଅନ୍ୟତମ ଅତିଥିଭାବେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗ ଦେଇ ପ୍ରତିଯୋଗିତାର ସଫଳତା ସହ ଅନୁଷ୍ଠାନର ସଫଳତା କାମନା କରିଛନ୍ତି।
ସୂଚନାଯୋଗ୍ୟ କି, ଆଜି ଠାରୁ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତାରେ ରାଜ୍ୟରୁ ଉଭୟ ମହିଳା ଓ ପୁରୁଷ ବର୍ଗରେ ପ୍ରାୟ 300 ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା 14 ତାରିଖରେ ଉଦ୍ଯାପିତ ହେବା ଓ ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଉତ୍କଳ କରାଟେ ସ୍କୁଲର ସମ୍ପାଦକ ହରି ପଟ୍ଟନାୟକ ସୂଚନା ଦେଇଛନ୍ତି।।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ