ଭୁବନେଶ୍ବର/ ଜଗତସିଂହପୁର: ନୟାପଲ୍ଲୀ ଗଡସାହିରେ ଟେଲି ଅଭିନେତ୍ରୀଙ୍କ ସୁଇସାଇଡ (Tele Odia Actress allegedly commits suicide) । ଶନିବାର ନିଜ ଭଡାଘରେ ଓଢଣି ଲଗାଇ ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ । ଆତ୍ମହତ୍ୟା କରିଥିବା ଅଭିନେତ୍ରୀ ହେଉଛନ୍ତି ରଶ୍ମିରେଖା ଓଝା (Odia Tele Actress Rashmirekha Ojha) । ଯାହାଙ୍କ ମୃତଦେହକୁ ଉଦ୍ଧାର କରିଛି ନୟାପଲ୍ଲୀ ଥାନା ପୋଲିସ । ଅଭିନେତ୍ରୀଙ୍କ ମୃତଦେହ ନିକଟରୁ ସୁଇସାଇଡ ନୋଟ ମିଳିଥିଲେ ମଧ୍ୟ ସେ କାହାରିକୁ ଦୋଷୀ କରିନଥିବା ଜଣାପଡ଼ିଛି ।
ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଜଣେ ଜଣାଶୁଣା ଅଭିନେତ୍ରୀ ନିଜ ଭଡାଘରେ କାହିଁକି ସୁଇସାଇଡ କଲେ ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିନେତ୍ରୀ ଜଣକ ସୁଇସାଇଡ ନୋଟରେ ତାଙ୍କ ମୃତ୍ୟୁ ପାଇଁ କାହାରିକୁ ମଧ୍ୟ ଦାୟୀ କରିନାହାନ୍ତି । ଅନ୍ୟପଟେ ସେ ଭଡା ରହୁଥିବା ସ୍ଥାନରେ ନିଜକୁ ବିବାହିତ ବୋଲି ପରିଚୟ ଦେଉଥିବା ବେଳେ ହାତରେ ଶଙ୍ଖା ଓ ମଥାରେ ସିନ୍ଦୁର ପିନ୍ଧି ବୁଲୁଥିଲେ ।
ମାତ୍ର ପରିବାର ବର୍ଗଙ୍କ କହିବାନୁସାରେ ସେ ବିବାହ କରିନଥିଲେ । ତେବେ ନିଜକୁ ଭୁବନେଶ୍ବରରେ ବୋହୁ ଓ ଜଗତସିଂହପୁରରେ ଝିଅ ବୋଲି ଦୁଇଟି ପରିଚୟ ଦେଉଥିଲେ ଏହି ଟେଲି ଅଭିନେତ୍ରୀ । ସେ ବିବାହ କରିଥିବା କୁହାଯାଉଥିବା ପୁରୁଷ ବନ୍ଧୁଙ୍କର ସୁରାକ ପାଇଛି ପୋଲିସ । ପୁରୁଷ ବନ୍ଧୁ ଜଣକ ଜଣେ ଫାଇନାନ୍ସର ତଥା ବ୍ୟବସାୟୀ ଭାବେ ମଧ୍ୟ ବେଶ ଜଣାଶୁଣା ।
ସେ କିପରି ଟେଲି ଅଭିନେତ୍ରୀଙ୍କ ସମ୍ପର୍କରେ ଆସିଲେ ଏବଂ ତାଙ୍କ ପାଖରେ ଏପରି କି ରହସ୍ୟ ଲୁଚିଛି ? ଏ ସମ୍ପର୍କରେ ଜାଣିବା ପାଇଁ ପୋଲିସ ତାଙ୍କୁ ଯୋଗାଯୋଗ କରିଛି । ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟାର ରହସ୍ୟ ତାଙ୍କ ପାଖରେ ଲୁଚି ରହିଛି ବୋଲି ପୋଲିସ ସନ୍ଦେହ କରୁଛି । ଏନେଇ ଭୁବନେଶ୍ବର ଡିସିପି କହିଛନ୍ତି ଯେ ପୋଲିସ ରିପୋର୍ଟ ପାଇ ଅପମୃତ୍ୟୁ ମାମଲା ରୁଜୁ କରିଛି । ପୁରୁଷ ବନ୍ଧୁଙ୍କ ସହ ଯୋଗାଯୋଗ ହୋଇଛି ତାଙ୍କଠୁ କିଛି ରହସ୍ୟ ମିଳିପାରିବ ବୋଲି ଆଶା କରାଯାଉଛି ।
ହତ୍ୟା ଅଭିଯୋଗ ଆଣିଲା ପରିବାର:-
ଜଗତସିଂହପୁର ଝିଅ ତଥା ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ବଢ଼ିବାରେ ଲାଗିଛି ଅଡ଼ୁଆ । ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ରଶ୍ମିରେଖାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ସିଧାସଳଖ ଅଭିଯୋଗ କରିଛନ୍ତି ।
ତ୍ରିକୋଣୀୟ ପ୍ରେମକୁ ନେଇ ଚର୍ଚ୍ଚା:-
ତିର୍ତ୍ତୋଲ ଥାନା ସଂକେତ ପାଟଣା ଗାଁର ରଞ୍ଜନ ଓଝାଙ୍କ ଝିଅ ରଶ୍ମିରେଖା ୫ବର୍ଷ ହେବ ଭୁବନେଶ୍ବରରେ ରହି ବିଭିନ୍ନ ଆଲବମ ଓ ସିରିଏଲରେ ଅଭିନେତ୍ରୀ ଭାବରେ କାମ କରୁଥିଲେ । ପରେ ଅଭିନୟ ଛାଡି଼ ଏକ ଫାଇନାନ୍ସ କମ୍ପାନୀରେ ଚାକିରି କରୁଥିଲେ । ସେଠାରେ ତାଙ୍କର ଜଣେ ସହକର୍ମୀ ସମ୍ବଲପୁର ଅଞ୍ଚଳର ସନ୍ତୋଷ ପାତ୍ର ନାମକ ଜଣେ ଯୁବକ ସହିତ ପରିଚିତ ହୋଇଥିଲା । ସନ୍ତୋଷ ରଶ୍ମିରେଖାଙ୍କୁ ଏକ ତରଫା ପ୍ରେମ କରୁଥିବା ବେଳେ ପୂର୍ବରୁ ବିରିଡି ଅଞ୍ଚଳର ରାଜା ନାମକ ଜଣେ ଯୁବକ ସହିତ ରଶ୍ମିରେଖାଙ୍କର ପରିଚୟ ଥିଲା ।
ରାଜା ଓ ରଶ୍ମିରେଖା ମିଳାମିଶା କରୁଥିବାରୁ ସନ୍ତୋଷ ଏହାକୁ ସହି ନପାରି ରଶ୍ମିରେଖାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ବାବଦରେ ମୃତ ଅଭିନେତ୍ରୀଙ୍କ ବାପା ରଞ୍ଜନ ଓଝା ଭୁବନେଶ୍ବର ନୟାପଲ୍ଲୀ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାର ସଠିକ ତଦନ୍ତ କରାଯାଇ ସତ୍ୟାସତ୍ୟ ଲୋକ ଲୋଚନକୁ ଆଣିବା ଦାବି ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର ଓ ଜଗତସିଂହପୁର