ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ତିନି ଆବେଦନ ପ୍ରକ୍ରିୟା । ଛାତ୍ରଛାତ୍ରୀ ନିଜ ନିଜର ପସନ୍ଦର କଲେଜରେ ନାମ ଲେଖାଇବାକୁ ଆବେଦନ କରିଛନ୍ତି । ହେଲେ ରାଜ୍ୟରେ ଚଳିତ ବର୍ଷ ଯୁକ୍ତ ଦୁଇ ରେଜଲ୍ଟ ଭଲ ହୋଇଥିବାରୁ, ସିଟ୍ ମିଳିବା ନେଇ ନେଇ ଚିନ୍ତାରେ ରହିଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ ।
ଯୁକ୍ତ ତିନି ଆବେଦନ ପ୍ରକ୍ରିୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ । ସେ କହିଛନ୍ତି, " ଯୁକ୍ତ ତିନି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶେଷ ଭାବରେ ମେଧାବୀ ପିଲା ଭଲଭଲ କଲେଜରେ ଆଡମିଶନ ପାଇଯିବେ । ଅନେକ ପିଲା ଆଡମିଶନରୁ ବଞ୍ଚିତ ହେବେ । କାରଣ ଚଳିତ ବର୍ଷ ଯୁକ୍ତଦୁଇ ରେଜଲ୍ଟ ଭଲ ହୋଇଥିବା ବେଳେ CBSEର ରେଜଲ୍ଟ ମଧ୍ୟ ଭଲ ହୋଇଛି । ପାସ୍ କରିଥିବା ପିଲାଙ୍କୁ କଲେଜ୍ରେ ସିଟ୍ ଦେବାକୁ ରାଜ୍ୟରେ ଆବଶ୍ୟକ ଭିତ୍ତିଭୁମି ନାହିଁ । ସିଟ୍ ସଂଖ୍ୟା ବଢ଼ାଇବା ଏହାର ଏକମାତ୍ର ସମାଧାନର ବାଟ ।"
ସେହିଭଳି ଛାତ୍ରଛାତ୍ରୀ ମଧ୍ୟ ଭଲ କଲେଜ୍ରେ ଆଡମିଶନ ନେଇ ଚିନ୍ତାରେ ରହିଛନ୍ତି । ଯୁକ୍ତ ଦୁଇ ପାସ୍ କରିଥିବା ଶାଶ୍ଵତୀ ଦାସ ନାମକ ଛାତ୍ରୀ କହିଛନ୍ତି, "ଅନେକ ପିଲା ଚଳିତ ବର୍ଷ ୯୦ ପ୍ରତିଶତ ଅଧିକ ମାର୍କ ରଖିଛନ୍ତି । ଅନେକ ପିଲାଙ୍କର ସ୍ବପ୍ନ ରହିଛି ରାଜ୍ୟର ଭଲଭଲ କଲେଜରେ ପାଠ ପଢିବେ । ହେଲେ ମେଧାବୀ ପିଲାଙ୍କ ପାଇଁ ଭଲ କଲେଜରେ ସିଟ ପାଇବା ପରେ ଅନ୍ୟମାନଙ୍କୁ ସିଟ୍ ମିଳିବ କି ନମିଳିବ ସେନେଇ ଚିନ୍ତା ବଢ଼ିଛି । ଏଥପାଇଁ କଲେଜ ଗୁ଼ଡ଼ିକରେ ସିଟ୍ସଂଖ୍ୟା ବୃଦ୍ଧି ହେବା ନିହାତି ଆବଶ୍ୟକ ।"
ଯେଉଁ ଘରୋଇ ସ୍କୁଲ୍ କଲେଜ ରହିଛି ସେଠାରେ ଯୁକ୍ତତିନି ପାଇଁ ଅନୁମତି ଦିଆଯାଉ ବୋଲି ଦାବି କରିଛି ଅଭିଭାବକ ମହାସଂଘ । ରାଜ୍ୟ ରେ ୧୦୦୪ଟି ଡିଗ୍ରୀ କଲେଜ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜିକରଣ କରି ସାରିଛନ୍ତି । ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିଛନ୍ତି ।
ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନ କରିବା ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ । SAMS ପୋର୍ଟାଲରେ ଅନ୍ଲାଇନ ମାଧ୍ୟମରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । www.samsodisha.gov.in ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । ଏହାପରେ ପ୍ରଥମ ମେରିଟ୍ ଲିଷ୍ଟ ଅଗଷ୍ଟ ୩୧ ତାରିଖରେ ପ୍ରକାଶ ପାଇବାକୁ ଥିବା ବେଳେ ସେପ୍ଟେମ୍ବର ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ । ଏହି କ୍ରମରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ସେପ୍ଟେମ୍ବର ୧୧ ତାରିଖରେ ପ୍ରକାଶ ପାଇବ । ଏହାପରେ ସେପ୍ଟେମ୍ବର ୧୨ ତାରିଖରୁ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୬ ତାରିଖରେ ବିଭିନ୍ନ କଲେଜ୍ରେ ଖାଲି ପଡ଼ିଥିବା ସିଟ୍ ସଂଖ୍ୟା ପ୍ରକାଶ ପାଇବ। ଶେଷରେ ସେପ୍ଟେମ୍ବର ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍ପଟ୍ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ।