ଭୁବନେଶ୍ବର: ବଳଙ୍ଗା ଥାନା ଏଏସଆଇଙ୍କ ନାମରେ ଦୁଷ୍କର୍ମ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ସେ କହିଛନ୍ତି ଯେ SDPO ତଦନ୍ତ କରୁଛନ୍ତି । ତାଙ୍କ ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ୫ ‘ଟି’ ଓ ମୋ ସରକାର ଆସିବା ପରେ ପୋଲିସଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।
ସେପଟେ ବିରୋଧୀ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି । ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ରକ୍ଷକ ସାଜିଛି ଭକ୍ଷକ। ଆଗରୁ ବି ରଥଯାତ୍ରା ସମୟରେ ପୋଲିସ ଦୁଷ୍କର୍ମ କରିଥିଲା । ପୁଣି ଏବେ ନୂଆ ବର୍ଷରେ। ଆମେ ବିଧାନସଭାରେ 1 ହଜାରରୁ ଅଧିକ ଦୁଷ୍କର୍ମ ଓଡ଼ିଶାରେ ହେଉଥିବା କଥା ଉଠାଇଛୁ । ଆଗ ସରକାର ପୋଲସ ଉପରେ ଲଗାମ ଆଣନ୍ତୁ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।
ସୂଚନାନୁସାରେ ଗତକାଲି ରାତିରେ, ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇଙ୍କୁ ଅଟକ ରଖାଯାଇଛି । ଏଏସଆଇଙ୍କୁ ଅଟକ ରଖି ପିପିଲି ପୋଲିସ ପଚରାଉଚରା ଜାରି ରଖିଛି । ଗତ ଗୁରୁବାର ବଳଙ୍ଗା ଥାନାର ଜଣେ ଏଏସଆଇଙ୍କ ନାଁରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ କରିଥିଲେ । ମହିଳା ଜଣକ ଥାନାକୁ ଯାଇଥିବାବେଳେ ଏଏସଆଇ ତାଙ୍କୁ ଘରକୁ ଡ଼ାକି ନେଇ ଦୁଷ୍କର୍ମ କରିଥିବା ସମ୍ପୃକ୍ତ ମହିଳା ଅଭିଯୋଗ କରିଥିଲେ । ଏହାପରେ ପିପିଲି ପୋଲିସ ତାଙ୍କୁ ଅଟକ ରଖି ତଦନ୍ତ କରୁଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ