ଭୁବନେଶ୍ବର: ରାଜ୍ୟର ଶିକ୍ଷା ବ୍ୟବସ୍ଥା କୋରୋନା ମାଡରେ ଅଧିକ ପ୍ରଭାବିତ ହୋଇଛି । କୋରୋନା କାଳରେ ଅନଲାଇନ କ୍ଲାସ ଚାଲିଥିଲେ ମଧ୍ୟ କିଛି ଛାତ୍ରଛାତ୍ରୀ ପାଠପଢା ଅଧାରୁ ଛାଡିଥିଲେ । ତେବେ ଏଭଳି ଖବର ସାମ୍ନାକୁ ଆସିବା ପରେ ସରକାର ସେମାନଙ୍କୁ ପୁଣି ଥରେ ସ୍କୁଲକୁ ଫେରାଇ ଆଣିବାକୁ ଯୋଜନା କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଏହା ସଫଳ ହୋଇପାରିଲା ନାହିଁ । କେବଳ କାଗଜ କଲମରେ ହିଁ ଏହା ସୀମିତ ହୋଇ ରହିଯାଇଛି । ତେବେ ଏହା କେବେ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହେବ ଏବଂ ଛାତ୍ରଛାତ୍ରୀ ପୁଣି କେବେ ପଢିବାକୁ ସୁଯୋଗ ପାଇବେ ସେନେଇ ମୁହଁ ଖୋଲିଛି ରାଜ୍ୟ ଅଭିଭାବକ ସଂଘ ।
ରାଜ୍ୟରେ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିବା ଘଟଣା ଗଣଶିକ୍ଷା ବିଭାଗର ମୁଣ୍ଡ ବ୍ୟଥାର କାରଣ ହୋଇଛି । ଦଶମ ଶ୍ରେଣୀରେ ମଧ୍ୟ ହଜାର ହଜାର ଛାତ୍ରଛାତ୍ରୀ ପାଠ ପଢା ଛାଡିଥିଲେ । ସେହିପରି ନବମ ଶ୍ରେଣୀରେ ମଧ୍ୟ ପାଖାପାଖି ୧୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନଥିବା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦର୍ଶାଇଛି । ନିକଟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ ଯେ, ରାଜ୍ୟରେ ପାଠ ଛାଡିଥିବା ପିଲାମାନଙ୍କୁ ପୁଣିଥରେ ସ୍କୁଲକୁ ଅଣାଯିବ । ସେମାନେ ପୁଣିଥରେ ନିୟମିତ ଭାବରେ ସ୍କୁଲ ଆସିବେ । କିନ୍ତୁ ବିଭାଗର ଏଭଳି ନିଷ୍ପତ୍ତି କଥାରେ ହିଁ ରହିଯାଇଛି । ତେବେ ନା ସେମାନଙ୍କର ଖୋଜ ଖବର ଜଣାପଡ଼ିଲା, ନା ସେମାନେ କେଉଁ କାରଣରୁ ପାଠପଢା ଛାଡିଛନ୍ତି ସେ ବିଷୟରେ ଶିକ୍ଷା ବିଭାଗ ପାଖରେ କୌଣସି ସୂଚନା ରହିଛି । ପିଲା ଏବେ କେଉଁଠି ଅଛନ୍ତି ଓ କ’ଣ କରୁଛନ୍ତି ? ବର୍ତ୍ତମାନ ସେମାନଙ୍କର ସ୍ଥିତି କଣ ରହିଛି ? ଏ ସମସ୍ତ ପ୍ରଶ୍ନ ଏବେ ଦ୍ଵନ୍ଦ ସୃଷ୍ଟି କରୁଛି ।
ଅଭିଭାବକ ମହାସଂଘର ଉପାଧ୍ୟକ୍ଷ ପ୍ରସନ୍ନ ବିଶୋଇ କହିଛନ୍ତି ଯେ, ‘‘ରାଜ୍ୟରେ କୋରୋନା ପାଇଁ ଅନେକ ପିଲା ଡ୍ରପ୍ ଆଉଟ୍ ହୋଇଛନ୍ତି । ଏହା ସହ ଅନେକ ସ୍କୁଲ ବନ୍ଦ ହୋଇଯିବା କାରଣରୁ ମଧ୍ୟ କିଛି ପିଲା ମାନେ ଅଧାରୁ ପାଠ ଛାଡିଛନ୍ତି । କୋରୋନା ପରେ ଘରୋଇ ସ୍କୁଲରେ ପାଠ ପଢୁଥିବା ପିଲାମାନେ ଆର୍ଥିକ ଅଭାବ ଯୋଗୁଁ ସେମାନେ ସରକାରୀ ସ୍କୁଲରେ ପାଠ ପଢିଥିଲେ । ଯଦି ସରକାର ଏହା ଭାବୁଥାନ୍ତି ଯେ ଆମେ ଡ୍ରପ୍ ଆଉଟ୍ ପିଲାଙ୍କୁ ଫେରାଇ ଆଣିପାରିଲୁ ତେବେ ତାହା ସମ୍ପୁର୍ଣ୍ଣ ଭୁଲ ତଥ୍ୟ । ଡ୍ରପ୍ ଆଉଟ ପିଲାଙ୍କୁ ଫେରାଇ ଆଣିବାରେ ଶିକ୍ଷା ବିଭାଗ ଯେଉଁ ଯୋଜନା କରିଥିଲା ତାହା ବାସ୍ତବରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ସେ କହିଛନ୍ତି । ଏନେଇ ଶିକ୍ଷାବିତ ଜଲିଲ ଖାଁ କହିଛନ୍ତି ଯେ, ରାଜ୍ୟରେ ଯେଉଁମାନେ ଡ୍ରପ୍ ଆଉଟ୍ ହୋଇଛନ୍ତି ସେମାନଙ୍କୁ ଖୋଜି ପୁଣି ଥରେ ସ୍କୁଲରେ ଆଡମିଶନ କରିବା ଦାୟିତ୍ବ ଶିକ୍ଷା ବିଭାଗର । ସେହିପରି ଡ୍ରପ୍ ଆଉଟ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପଢିବା ପାଇଁ ସମସ୍ତ ସୁବିଧା ଯୋଗାଇ ଦେବା ସହ ଦଶମ ଶ୍ରେଣୀ ପରୀକ୍ଷା କରିବାକୁ ଦାବି ହୋଇଛି । ’’
ଇଟିଭି ଭାରତ, ଭୁବନେଶ୍ବର