ଭୁବନେଶ୍ବର: ଉଷୁନା ଚାଉଳ ଉଠାଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଚାଷୀ ନୁହେଁ, ମିଲର୍ସଙ୍କ ସରକାର ବିଜେଡି ବୋଲି ଏହି ଚିଠି ପ୍ରମାଣିତ କରୁଛି ବୋଲି କହିଛନ୍ତି ପ୍ରଦୀପ । ପ୍ରଦୀପ କହିଛନ୍ତି ଯେ, ଓଡିଶା ସରକାରଙ୍କର ଚାଷୀଙ୍କ ପ୍ରତି କେତେ ଦରଦ ଏବଂ ମିଲର ମାନଙ୍କର ସ୍ବାର୍ଥ ରକ୍ଷା ପାଇଁ ସରକାର କେତେ ତତ୍ପର ତାହା ଏହି ଚିଠିରୁ ଜଣାପଡୁଛି । କେନ୍ଦ୍ର ସରକାରଙ୍କ ଖାଦ୍ୟ ଯୋଗାଣ ସଚିବ ସମସ୍ତ ରାଜ୍ୟର ସଚିବମାନଙ୍କୁ ନେଇ ବୈଠକ ଡାକିଥିଲେ । ସେହି ବୈଠକକୁ ଆଧର କରି ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି ।
ତେବେ ଏଠି ପ୍ରଶ୍ନ ଉଠୁଛି, ବୈଠକରେ ରାଜ୍ୟ ସରକାରଙ୍କ ସଚିବ କାହିଁକି ଚୁପ ବସିଲେ ? 2 ମାସ ପରେ ମୁଖ୍ୟମନ୍ତ୍ରୀ କାହିଁକି ଚିଠି ଲେଖିଲେ ? ବୈଠକ ପରେ ସଙ୍ଗେ ସଙ୍ଗେ ଚିଠି ଲେଖିଲେ ନାହିଁ କାହିଁକି ? ନବୀନ ସରକାର ମିଲରମାନଙ୍କ ଜରିଆରେ ଧାନ କିଣା ବିକା କରୁଛନ୍ତି । 10ରୁ 15 କିଲୋଗ୍ରାମ କଟନୀ ଛଟଣୀ କରି ଧାନ କିଣାଯାଉଛି । 7 ହଜାର ଚାଷୀଙ୍କର ଟୋକେନ ଲାପ୍ସ ହୋଇଗଲା । କେନ୍ଦ୍ର ସରକାର ବସ୍ତା, ଲେବର ଚାର୍ଜ, ପରିବହନ ପଇସା ଚାଷୀ ପାଉନାହାନ୍ତି । ମିଲରଙ୍କ ଜରିଆରେ ପରିବହନ ଖର୍ଚ୍ଚ ନଦେଇ ଚାଷୀଙ୍କୁ ଲୁଟ କରାଯାଉଛି । ତେବେ ମୁଖ୍ୟମନ୍ତ୍ରୀ କାହିଁକି ଟୋକନ ଲାପ୍ସ ହୋଇଥିବା ଚାଷୀଙ୍କ ଧାନ କିଣିବା ପାଇଁ ନିର୍ଦ୍ଦେଶ ଦେଲେ ନାହିଁ ? ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାରେ ସମ୍ପୂର୍ଣ୍ଣ ଚାଷୀଙ୍କ ତାଲିକା କାହିଁକି ରାଜ୍ୟ ସରକାର ଦେଉନାହାନ୍ତି ? କାହା ସ୍ବାର୍ଥରେ ଓଡିଶା ସରକାର ? ଏଭଳି ଅନେକ ପ୍ରଶ୍ନ କରିଛନ୍ତି ପ୍ରଦୀପ ପୁରୋହିତ ।
ଓଡିଶାର ଚାଷୀ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଅଛନ୍ତି । ତେଣୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ପ୍ରଭବିତ କରିବା ପାଇଁ ଓ ମିଲରମାନଙ୍କ ଲାଭ ପାଇଁ ସରକାର ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭୟଭୀତ ହୋଇ ଚିଠି ଲେଖିଛନ୍ତି । କେନ୍ଦ୍ରକୁ ଦୋଷ ଦେବା ପାଇଁ ରାଜ୍ୟ ସରକାରଙ୍କର ଏହା ପ୍ରାକ ପ୍ରସ୍ତୁତି । ଏବେ ବି ମିଲରମାନଙ୍କ ପାଖରେ ଲକ୍ଷ ଲକ୍ଷ ଟନ ଧାନ ଗଚ୍ଛିତ ରଖିଛି । ତେବେ ଏବେ ଧାନ ଟୋକନ ଲାପ୍ସ ହେବ । ମିଲରମାନେ ଯେଉଁ ଚାଉଳ କମ ଦରରେ କିଣି ଗଚ୍ଛିତ ରଖିଛନ୍ତି, ସେଗୁଡିକୁ ବିକ୍ରି କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି । ଦୀର୍ଘ 21 ବର୍ଷ ଶାସନରେ ରହିବା ପରେ ମଧ୍ୟ ଧାନ ସଂରକ୍ଷଣ କରିବା ପାଇଁ ସରକାର କୌଣସି ବ୍ୟବସ୍ଥା କରୁନାହାନ୍ତି ବୋଲି ବିଜେପି କୃଷକ ମୋର୍ଚ୍ଚା ସଭାପତି କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ