ଭୁବନେଶ୍ବର: ଶୁଭାରମ୍ଭ ହେଲା ଅଗ୍ନିଶମ ବିଭାଗର ସ୍ବତନ୍ତ୍ର ରିଜର୍ଭ ଷ୍ଟ୍ରାଇକିଂ ଫାୟାର ଫୋର୍ସ (SFF) । ଏଣିକି ଅଘଟଣ ବା ବିପର୍ଯ୍ୟୟ ସମୟରେ ଏହି ଷ୍ଟ୍ରାଇକିଂ ଫାୟାର ଫୋର୍ସ ମୁକାବିଲା କରିବେ । କୌଣସି ଅଞ୍ଚଳରେ ଅଘଟଣ ଘଟିଲେ ସ୍ଥାନୀୟ ଦମକଳ କର୍ମଚାରୀଙ୍କୁ ଛାଡି ଆବଶ୍ୟକ ପଡୁଥିବା ସହାୟତା ପାଇଁ ଏହି ସ୍ବତନ୍ତ୍ର ତାଲିମ ପ୍ରାପ୍ତ ଯବାନ ମୁକାବିଲାରେ ସହଯୋଗ କରିବେ । ଏନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ।
କୌଣସି ବଡ଼ ଅଘଟଣ ବା ବିପର୍ଯ୍ୟୟ ପରିସ୍ଥିତିରେ ସେହି ଅଞ୍ଚଳର ଦମକଳ କେନ୍ଦ୍ରର ସୀମିତ କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ସ୍ବତନ୍ତ୍ର ରିଜର୍ଭ ଷ୍ଟ୍ରାଇକିଂ ଫାୟାର ଫୋର୍ସ (SFF)ର ଶୁଭାରମ୍ଭ ହୋଇଛି । ଏହା ଫଳରେ ବିପର୍ଯ୍ୟୟ ସମୟରେ ଅନ୍ୟ ଅଞ୍ଚଳରୁ ଅଗ୍ନିଶମ କର୍ମଚାରୀଙ୍କୁ ଡକାଇବା ପରିବର୍ତ୍ତେ ସେହି ସ୍ଥାନରେ ଏହି ସ୍ବତନ୍ତ୍ର ଫୋର୍ସ ମୁକାବିଲା କରିବେ । ଏହି ସ୍ପେଶାଲ ଫୋର୍ସର କେନ୍ଦ୍ରାଞ୍ଚଳ ଜୋନର ଶୁଭାରମ୍ଭ କରିଛନ୍ତି ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ । ଭୁବନେଶ୍ବର ଅଗ୍ନି ବିପର୍ଯ୍ୟୟ ତାଲିମ କେନ୍ଦ୍ର ପରିସରରେ ଏହି ଷ୍ଟ୍ରାଇକିଂ ଫାୟାର ଫୋର୍ସ କେନ୍ଦ୍ରର ଉଦଘାଟନ ହୋଇଛି ।
ଅଗ୍ନି କେନ୍ଦ୍ରରେ ସମସ୍ତ ଆବଶ୍ବକୀୟ ସାମଗ୍ରୀ ସହ ବିଭିନ୍ନ ପରିସ୍ଥିତିରେ ସ୍ବତନ୍ତ୍ର ଭାବେ ମୁକାବିଲା ପାଇଁ କର୍ମଚାରୀ ପ୍ରସ୍ତୁତ ରହିଛନ୍ତି । ଏହି ଷ୍ଟ୍ରାଇକିଂ ଫାୟାର ଫୋର୍ସର ଗଠନ ପାଇଁ ରାଜ୍ୟ ସରକାର ପୂର୍ବରୁ ମଧ୍ୟ ପଦକ୍ଷେପ ନେଇଥିଲେ । ଯାହା ଏବେ ସମ୍ଭବ ହୋଇଛି । ଏହା ଦ୍ବାରା ସରକାରଙ୍କ ଜିରୋ କାଜୁଆଲଟି ଲକ୍ଷ୍ୟ ଉପରେ ଧ୍ୟାନ ଦିଆଯାଇପାରିବ ବୋଲି ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି । ଏଥିରେ ମୋଟ ୪୮ ଜଣ ଯବାନ ରହିଥିବା ବୋଳେ ଏହାକୁ ୩ଟି ରେଞ୍ଜରେ ଭାଗ ରାଯାଇଛି । ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରରେ ଏହି ଟିମ ରହିବେ ।
ଅଗ୍ନିଶମ ବିଭାଗ ଡିଜିଙ୍କ ସୂଚନା ଅନୁସାରେ "ଏଥିପାଇଁ ଉନ୍ନତ ମାନର କୌଶଳ ସାମଗ୍ରୀ ମଧ୍ୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନାର ସହୟତାରେ ଯୋଗାଇ ଦିଆଯାଇଛି । ଏନଡିଆରଏଫ ଓ ଓଡ୍ରାଫ ଭଳି ତାଲିମପ୍ରାପ୍ତ ହୋଇ ଅଗ୍ନିଶମ ବିଭାଗ ପାଖରେ ରିଜର୍ଭ ଭାବେ ରଖାଯିବ । ହଠାତ କୌଣସି ବିପର୍ଯ୍ୟୟ ପରିସ୍ଥିତି ଆସିଲେ ବା ସାମ୍ଭାବ୍ୟ ସ୍ଥିତି ଦେଖାଦେଲେ ଏମାନଙ୍କୁ ନିୟୋଜିତ କରାଯିବ ।" ପୂର୍ବରୁ ଏନେଇ ୨୦୪୭କୁ ଦୃଷ୍ଟିରେ ରଖି ଓଡିଶା ଫାୟାର ସର୍ଭିସର ଆଧୁନିକରଣ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଉଥିବା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର