ଭୁବନେଶ୍ବର: ନଭେମ୍ବର 1ରୁ ମରାମତି ହେବ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ରନୱେ । ଏହି ସମୟ ଭିତରେ ଏକାଧିକ ବିମାନର ଉଡାଣ ଏବଂ ଅବତରଣକୁ ସାମୟିକ ଭାବେ ବାତିଲ କରାଯିବ ବୋଲି ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ବିମାନ ବନ୍ଦର କର୍ତ୍ତୃପକ୍ଷ ।
ସୂଚନା ଅନୁସାରେ ବର୍ତ୍ତମାନ ବିଜୁ ପଟ୍ଟନାୟକ ରନୱେର ଲମ୍ବ ରହିଛି 2 ହଜାର 742 ମିଟର । 2007 ମସିହାରେ ଶେଷ ଥର ପାଇଁ ବିମାନ ବନ୍ଦରର ମରାମତି ହୋଇଥିଲା । ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ ବିମାନ ବନ୍ଦର ମାନ୍ୟତା ପାଇବା ଏବଂ ଅନ୍ତର୍ଜାତୀୟ ବିମାନ ଉଡାଣର ମାନଦଣ୍ଡ ନେଇ ମରାମତିର ଆବଶ୍ୟକତା ରହିଥିବା କହିଛନ୍ତି କର୍ତ୍ତୃପକ୍ଷ । ଜାତୀୟ ବିମାନ ବନ୍ଦର ପ୍ରାଧିକରଣ (DGCA) ଏନେଇ ଅନୁଧ୍ୟାନ କରିଛନ୍ତି ।
ସେପଟେ ଭୁବନେଶ୍ବର ବିମାନ ବନ୍ଦରରୁ କେତେ ଗୁଡିଏ ବିମାନର ଉଡାଣ ସମ୍ପୂର୍ଣ୍ଣ ବନ୍ଦ ହେବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା । ସେ କହିଛନ୍ତି ଯେ, ବାଣିଜ୍ୟିକ ଦୃଷ୍ଟିକୋଣରୁ ବିମାନ ଉଡାଣର ବାଣିଜ୍ୟିକ ବ୍ୟବହାର୍ଯ୍ୟ ହେଉ ନଥିବାରୁ ଏକାଧିକ ଅପରେଟର ଉଡାଣକୁ ବନ୍ଦ କରିପାରନ୍ତି । କିନ୍ତୁ ଏନେଇ ତାଙ୍କ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ