ଭୁବନେଶ୍ବର: ରାଜ୍ୟର ଅନଗ୍ରସର ଆଦିବାସୀ ବହୁଳ ଜିଲ୍ଲାରେ ଶିଶୁମାନଙ୍କୁ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଦେବା ସହ ପୁଷ୍ଟିହୀନତାକୁ ରୋକିବା ପାଇଁ ରାଜ୍ୟ ସରକାର ସମନ୍ବିତ ମହିଳା ଓ ଶିଶୁ କଲ୍ୟାଣ ବିଭାଗ (ଆଇସିଡିଏସ) ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହା ମାଧ୍ୟମରେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି । ମାଲକାନଗିରି ଜିଲ୍ଲାରେ ଦିଆଯାଉଥିବା ଖାଦ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ରାଇଟ ଟୁ ଫୁଡ଼ କ୍ୟାମ୍ପେନ ଓଡିଶା ପକ୍ଷରୁ ଅଭିଯୋଗ କରାଯାଇଛି ।
ଏଥିରେ ବହୁ ବଡ଼ ବଡ଼ ସରକାରୀ ଅଧିକାରୀ, ରାଜନେତା ଓ ତଥାକଥିତ ମହିଳା ଗ୍ରୁପଙ୍କୁ ଆୟୁଧ କରି ଛତୁଆ ବେପାରିମାନେ ସମ୍ପୃକ୍ତ ଥିବାବେଳେ ଏହାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି । ସୋମବାର ଏନେଇ କ୍ୟାମ୍ପେନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଆବାହକ ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି । ଗତ ନଭେମ୍ବରରେ କ୍ୟାମ୍ପେନ ପକ୍ଷରୁ ଆଇସିଡିଏସ ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ ପାଇଁ ଏକ ପ୍ରତିନିଧି ଟିମ ଯାଇଥିଲା । ମାଲକାନଗିରି ଜିଲ୍ଲାର ଦୁଇଟି ବ୍ଲକର କେତେକ ଅଞ୍ଚଳ ଗସ୍ତ କରିବା ସମୟରେ ଦିଆଯାଉଥିବ ସାମଗ୍ରୀରେ ଅନେକ ଅନିୟମିତତା ଏମିତିକି ନିକୃଷ୍ଟ ମାନର ଥିଲା ବୋଲି ତାଙ୍କର ଅନୁଭୂତ ହୋଇଥିଲା।
ଏଥିଲାଗି ସେମାନେ କିଛି ନମୂନା ସଂଗ୍ରହ କରି ତାହାର ମାନ ଯାଞ୍ଚ ପାଇଁ ସରକାରୀ ବିଜ୍ଞାନଗାରାରେ ପରୀକ୍ଷା ପାଇଁ ଦେଇଥିଲେ । ରିପୋର୍ଟରେ ତାହା ନିମ୍ନ ମାନର ଥିବା ଜଣାପଡିବା ପରେ ସରକାରଙ୍କ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ