ଭୁବନେଶ୍ବର: ଶେଷ ହୋଇଛି ମହାମାୟାଙ୍କ ମହାଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ଜୟ ସୂରୁପ ଭୁବନେଶ୍ବର ବରମୁଣ୍ଡା ପଡିଆରେ ଅନୁଷ୍ଠିତ ହୋଇଛି ରାବଣ ପୋଡି । ସଂଧ୍ୟାରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଆରମ୍ଭ ହୋଇଥିଲା ରାବଣ ପୋଡି ମହୋତ୍ସବ ।
ରଙ୍ଗବେରଙ୍ଗର ଆତସବାଜିରେ କମ୍ପିଥିଲା ବରମୁଣ୍ଡା ମୈଦାନ । ଆକାଶରେ ଆଲୋକ ଓ ଶବ୍ଦ ପ୍ରଳୟ ହଜାର ହଜାର ଲୋକ ଉପଭୋଗ କରିଥିଲେ । ବରମୁଣ୍ଡାର ପୂଜା ପଡିଆରେ ୫୦ ଫୁଟର ରାବଣ ପ୍ରସ୍ତୁତ କରାଯାଇଥିଲା । ଯେଉଁଠାରେ ରାବଣକୁ ସ୍ଥାପନ କରାଯାଇଥିଲା ସେହିଠାରୁ ପ୍ରାୟ ୧୦୦ ମିଟର ଦୂରରେ ବ୍ୟାରିକେଡ କରାଯାଇଥିଲା ।
ବ୍ୟାରିକେଡ ଚାରିପଟେ ଲୋକେ ଉପସ୍ଥିତ ରହି ରାବଣ ପୋଡି ଦେଖିଥିଲେ । ସୁରକ୍ଷା ଦୃଷ୍ଟିରୁ ବରମୁଣ୍ଡା ପଡିଆ ସମେତ ସମଗ୍ର ଭୁବନେଶ୍ବରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବରମୁଣ୍ଡା ପଡିଆରେ ଖୋଦ ପୋଲିସ କମିସନର ସୁଧାଶୁଂ ଷଡଙ୍ଗୀ ଓ ଡିସିପି ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ଏହାସହ ଦମକଲ ବାହିନୀକୁ ମଧ୍ୟ ସଜାଗ ରଖାଯାଇଥିଲା । ବରମୁଣ୍ଡା ପଡିଆରେ ପ୍ରାୟ 30ହଜାରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ