ଭୁବନେଶ୍ୱର: ଦ ଇଣ୍ଡିଆ ସ୍କିଲ୍ସ ରିପୋର୍ଟ-୨୦୨୧ ରିପୋର୍ଟରେ ଓଡ଼ିଶାର ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଦର୍ଶାଯାଇଛି । ଏହି ରିପୋର୍ଟ ଅନୁସାରେ ରାଜ୍ୟରେ ଦକ୍ଷତା ବିକାଶ ସାଂଘାତିକ ସମସ୍ୟା ଭିତରେ ଥିବା ଜଣାପଡିଛି । ଏହାଛଡ଼ା ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ନା ସେତେଟା ସଫଳତା ପାଇଛି ନା ଚାହିଦା ଅନୁଯାୟୀ ଦକ୍ଷତା ସୃଷ୍ଟି କରିପାରୁଛି ।
ଗୋଟିଏ ପଟେ ରାଜ୍ୟ ସରକାର ଦକ୍ଷତା ବିକାଶ ନେଇ ଡିଣ୍ଡିମ ପିଟୁ ଥିବାବେଳେ ଏବେ ଏହି ରିପୋର୍ଟ ନୈରାଶ୍ୟଜନକ ଛବି ଦେଇଛି । ଓଡ଼ିଶାର ଛାତ୍ରଛାତ୍ରୀ ଯେଉଁ ଦକ୍ଷତା ଆହରଣ କରିଛନ୍ତି, ତାହା ଭଲ ଚାକିରୀ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ଇଂରାଜୀ ଭାଷା ଜ୍ଞାନ ହେଉ କିମ୍ବା କମ୍ପ୍ୟୁଟର ଦକ୍ଷତା କ୍ଷେତ୍ରରେ ଆସାମ ଓ ମଧ୍ୟପ୍ରଦେଶ ଠାରୁ ଓଡ଼ିଶାର ଛାତ୍ରଛାତ୍ରୀ ପଛରେ ଅଛନ୍ତି । ଓଡ଼ିଶାରେ ଦକ୍ଷତା ଅଭାବର ପ୍ରମୁଖ କାରଣ ଭାବେ ସରକାର ଓ ଶିକ୍ଷାନୁଷ୍ଠାନଗୁଡ଼ିକର ଉଦ୍ୟମ ନଥିବାକୁ ରିପୋର୍ଟରେ ଦର୍ଶାଯାଇଛି ।
ସେହିଭଳି ଦକ୍ଷତା ଅନୁସାରେ ନିଯୁକ୍ତି ସୁଯୋଗର ଅଭାବ ମଧ୍ୟ ଏହାର ଅନ୍ୟତମ କାରଣ । ତେବେ ରାଜ୍ୟର ପିଲାଙ୍କ ଠାରେ ନିଯୁକ୍ତି ଦକ୍ଷତା ଅଭାବକୁ ନେଇ ବିରୋଧୀ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଭିତ୍ତିଭୂମି ଅଭାବ ଯୋଗୁଁ ପିଲାଙ୍କ ଠାରେ ଦକ୍ଷତା କମୁଥିବା କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି । ସେହିପରି ବିଜେପି ମଧ୍ୟ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । ତେବେ ଗତ ୨୧ ବର୍ଷ ଭିତରେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ବିଜେଡି କହିଛି ।
ଭୁବନେଶ୍ୱରରୁ ତପନ କୁମାର ଦାସ, ଇଟିଭି ଭାରତ