ଭୁବନେଶ୍ବର: ଲଗାଣ ବର୍ଷା ପରେ ରାଜ୍ୟର ସ୍ଥିତି ବେହାଲ ହୋଇପଡିଥିବାବେଳେ ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧିଛି ଆଉ ଏକ ଲଘୁଚାପ । ୧୭ ଓ ୧୮ରୁ ସମ୍ଭାବ୍ୟ ଲଘୁଚାପ ବର୍ଷାରେ ଭିଜିବ ଓଡିଶା । ଶୁକ୍ରବାରସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୮ରୁ ୨୦ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ ଅନୁମାନ କରିଛି କେନ୍ଦ୍ର ପାଣିପାଗ ବିଭାଗ ।
୧୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୮ ତାରିଖରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବରରେ ବର୍ଷା ହେବା ସହ ୧୯ରେ ଉପକୂଳ ଓଡ଼ିଶାରେ ପ୍ରବଳ ଛେଚିବା ନେଇ ସମ୍ଭାବନା ରହିଛି । IMD ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୮ରୁ ୨୦ତାରିଖ ମଧ୍ୟରେ ରାଜ୍ୟର ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ।
ଲଘୁଚାପ ପ୍ରଭାବରେ ବର୍ଷା ହେବାକୁଥିବା ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦୁଝର, ଢ଼େଙ୍କାନାଳ, ଝାରସୁଗୁଡ଼ା, ବରଗଡ଼, ଦେଓଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଂ ।
ସେପଟେ ଏହା ପୂର୍ବରୁ ହୋଇଥିବା ଲଘୁଚାପ ବର୍ଷା ଯୋଗୁଁ ରାଜ୍ୟର ୪ ଜିଲ୍ଲାରେ ବନ୍ୟା ଆଶଙ୍କା ଅଛି । ଏହାସହିତ ବୈତରଣୀ ଓ ଜଳକାରେ ଜଳସ୍ତର ବଢୁଥିବା ଦେଖିବାକୁ ମିଳୁଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ