ଭୁବନେଶ୍ବର: ଦେଶର ଅର୍ଥନୈତିକ ଓ ସାଂସ୍କୃତିକ ବିକାଶରେ ଓଡ଼ିଶାର ସମୁଦ୍ରୀୟ ପରିବହନ ଏକ ପ୍ରମୁଖ ସ୍ଥାନ ହାସଲ କରିଛି । ତେଣୁ ଭବିଷ୍ୟତକୁ ନଜରରେ ରଖି ଓଡିଶାରେ ଏକ ସମୁଦ୍ରୀୟ ବିଶ୍ବବିଦ୍ୟାଳୟ(Maritime University) ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ତୃତୀୟ ‘ଜାତୀୟ ସାଗରମାଳା’ର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି ।
ସେ ଆହୁରିମଧ୍ୟ କହିଛନ୍ତି ଯେ, ''ଓଡ଼ିଶା ଏକ ସମୁଦ୍ରୀୟ ରାଜ୍ୟ । ଯାହାର ପ୍ରାୟ ୪୮୦ କିଲୋମିଟର ସମୁଦ୍ର ଉପକୂଳ ପଥ ଅଛି । ଓଡ଼ିଶା ସରକାର ଇତିମଧ୍ୟରେ ୧୪ ଗୋଟି ପ୍ରମୁଖ ସମୁଦ୍ର ଉପକୂଳ ସ୍ଥାନ ଚିହ୍ନଟ କରିଛନ୍ତି । ଏହାକୁ ଅଣବାଣିଜ୍ୟିକ ବନ୍ଦର ରୂପେ ବିକାଶ ନିମନ୍ତେ କାର୍ଯ୍ୟ ଆରମ୍ଭ କରିଛନ୍ତି । ୧୪ଟି ଅଣବାଣିଜ୍ୟିକ ବନ୍ଦର ପ୍ରକଳ୍ପର ବିକାଶ ନିମନ୍ତେ ରାଜ୍ୟ ସରକାର ‘ବନ୍ଦର ଆଇନ - ୨୦୦୪’ ପ୍ରଣୟନ କରିଛନ୍ତି ।
ଓଡ଼ିଶାରେ ୬ଟି ଜାତୀୟ ଜଳପଥ ଏନଡବ୍ଲ୍ୟୁ- ୫, ଏନଡବ୍ଲ୍ୟୁ- ୧୪,ଏନଡବ୍ଲ୍ୟୁ- ୨୨, ଏନଡବ୍ଲ୍ୟୁ- ୨୩, ଏନଡବ୍ଲ୍ୟୁ- ୬୪ ଏବଂ ଏନଡବ୍ଲ୍ୟୁ -୯୬ ଅଛି'' ବୋଲି ମନ୍ତ୍ରୀ ବୈଠକରେ ସୂଚନା ଦେଇଛନ୍ତି । ଅଣବାଣିଜ୍ୟିକ ବନ୍ଦର ବିକାଶ ଓ ଅନ୍ତଦେଶୀୟ ଜଳପଥ ପରିବହନର ସୁପରିଚାଳନା ପାଇଁ ଅତିଶୀଘ୍ର ‘ଓଡ଼ିଶା ସମୁଦ୍ରୀୟ ବୋର୍ଡ’ ( ଓଡ଼ିଶା ମାରିଟାଇମ୍ ବୋର୍ଡ ) ଗଠନ କରାଯିବ । ଏହା ଗତ ଫେବୃଆରୀ ୧୮ ତାରିଖରେ ରାଷ୍ଟ୍ରପତିଙ୍କ ସ୍ଵୀକୃତିପ୍ରାପ୍ତ ହୋଇଛି । ୨୦୨୨ ମାର୍ଚ୍ଚ ୨୮ ତାରିଖରେ ‘ଓଡ଼ିଶା ଗେଜେଟ୍’ରେ ପ୍ରକାଶିତ ହୋଇଛି । ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକର ଅଖଡ଼ାଶାଳୀ ଗ୍ରାମଠାରେ ରାଜ୍ୟ ସରକାର ମହାନଦୀର ବାମପାର୍ଶ୍ଵରେ ଏକ ବନ୍ଦର ପିପିପି ମାଧ୍ୟମରେ ବିକଶିତ କରିବା ପାଇଁ ଯୋଜନା କରିଛନ୍ତି ।
ଧାମରା ବନ୍ଦର ପାଇଁ ପିପିପି ମାଧ୍ୟମରେ ବିମାନବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଓଡ଼ିଶାରେ ଜଳଜାହାଜ ନିର୍ମାଣ ଓ ମରାମତି କାରଖାନା, ଭାରତୀୟ ବନ୍ଦର ବିଲ୍-୨୦୨୧, ଗୋପାଳପୁର ରେଢ଼ାଖୋଲ ରେଳପଥ ନିର୍ମାଣ, ବୁରମାରମାର-ଚକୁଳିଆ ରେଳପଥ ନିର୍ମାଣ, ବାଦାମପାହାଡ଼-କେନ୍ଦୁଝର ରେଳପଥ ନିର୍ମାଣ ପ୍ରଭୃତି ନେଇ ହୋଇଥିବା ଆଲୋଚନାରେ ମଧ୍ୟ ମନ୍ତ୍ରୀ ଅଂଶଗ୍ରହଣ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ