ଭୁବନେଶ୍ବର: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି କିପରି ଦୈନନ୍ଦିନ ଜୀବନର ବିଭିନ୍ନ କ୍ଷେତ୍ରରେ ଆସୁଥିବା ସମସ୍ୟାର ସମାଧାନ କରା ଯାଇପାରିବ ସେଥିପାଇଁ ଏକ ସ୍ବତନ୍ତ୍ର ଏକ୍ସିଲେନ୍ସି ସେଣ୍ଟର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରାଜଧାନୀସ୍ଥିତ କଲେଜ ଅଫ ଇଞ୍ଜିନିଅରିଂ ଓ ଟେକ୍ନୋଲୋଜି ପରିସରରେ ଉଦଘାଟିତ ହୋଇଛି। ଯେଉଁଥିରେ ପ୍ରାଥମିକ ପର୍ଯ୍ୟାୟରେ 30 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷିତ କରିବାର ସୁଯୋଗ ରହିଛି। ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରାଯିବ ବୋଲି ଜଣାଇଛନ୍ତି ରାଜ୍ୟ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାଏକ।
ଟେକ ମହୀନ୍ଦ୍ରା, ସିଇଟି ଓ ବିପିୟୁଟି ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇ ଏହା କାର୍ଯ୍ୟକାରୀ ହେଉଛି। ଏଠାରେ ପ୍ରଥମ 3 ମାସ ଟେକ ମହୀନ୍ଦ୍ରା ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ପରେ ସେମାନେ ବିଭିନ୍ନ ପ୍ରକଳ୍ପର ବିକାଶ ପାଇଁ କାର୍ଯ୍ୟ କରିବେ। ଏହାପରେ ସେମାନଙ୍କ କାର୍ଯ୍ୟଦକ୍ଷତାକୁ ଦେଶ ବିଦେଶର ନାମୀଦାମୀ କମ୍ପାନୀ ଦେଖିଲା ପରେ ସେମାନେ ସେଠାରେ ନିଯୁକ୍ତି ସୁଯୋଗ ପାଇପାରିବେ ବୋଲି ସିଇଟିର ଅଧକ୍ଷ ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।
ଏଭଳି ଏକ ଅନୁଷ୍ଠାନ ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ଏହା ମାଧ୍ୟମରେ ଛାତ୍ରଛାତ୍ରୀ ଅନେକ ପରିମାଣର ଲାଭ ପାଇଁ ପାରିବେ ବୋଲି ସେ କହିଛନ୍ତି। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସମେତ ଟେକ ମହୀନ୍ଦ୍ରାର ଅଧିକାରୀ ଓ କଲେଜ କର୍ତ୍ତୃପକ୍ଷ, ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ଲୋକେ ଓ କଲେଜର ଉଚ୍ଚପଦସ୍ଥ ଅଧିକାରୀ ସିଇଟିକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ