ଭୁବନେଶ୍ବର: ରାଜ୍ୟ କଂଗ୍ରେସକୁ ଲାଗିପାରେ ଶକ୍ତ ଝଟକା । ହାତ ଛାଡିପାରନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇପାରେ ପ୍ରଦୀପଙ୍କ ନୂଆ ଇନିଂସ । କଂଗ୍ରେସର ଏହି ହେଭିୱେଟ ନେତା ଆଜି ଦଳ ଛାଡିବା ନେଇ ଚର୍ଚ୍ଚା ହେଉଛି । ତେବେ ଏନେଇ ପ୍ରଦୀପ ମାଝୀ କୌଣସି ସୂଚନା ଦେଇନାହାଁନ୍ତି ।
ନିକଟରେ ଓଡିଶାରେ କଂଗ୍ରେସରେ ସୃଷ୍ଟି ହୋଇଥିଲା ମନୋମାଳିନ୍ୟ । ରାଜ୍ୟ କଂଗ୍ରେସ କନ୍ଦଳ ଉଗ୍ର ରୂପ ନେଇଥିଲା । ଯାହା ପରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଦଳ ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଗତ ସେପ୍ଟେମ୍ବରରେ ପ୍ରଦୀପ ମାଝୀ ନବରଙ୍ଗପୁରରେ ଏକ ବିରାଟ ସମାବେଶରେ ନିଜ ଶତାଧିକ ସମର୍ଥକଙ୍କୁ ନେଇ ବିଜେଡିରେ ମିଶିବାର ପ୍ଲାନ ଥିବା କୁହାଯାଉଥିଲା । ମାତ୍ର ପରେ ଏହାକୁ ଗୁଜବ କହି ଖଣ୍ଡନ କରିଥିଲେ ଦୁଇ ନେତା । ଦଳ ଛାଡିବା ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ ବୋଲି କହିଥିଲେ ପ୍ରଦୀପ ।
ପ୍ରକାଶ ଥାଉକି, କଂଗ୍ରେସର ହେଭିୱେଟ ନେତା ପ୍ରଦୀପ ମାଝୀ ପୂର୍ବରୁ ନବରଙ୍ଗପୁର ଲୋକସଭା ସାଂସଦ ଭାବେ ଜିତିଥିଲେ । ପ୍ରଥମ ଥର ସାଂସଦ ଥିଲେ ମଧ୍ୟ ଯୁବ ନେତା ଭାବେ ଦିଲ୍ଲୀ କଂଗ୍ରେସ ରାଜନୀତିରେ ତାଙ୍କର ଭଲ ପ୍ରଭାବ ରହିଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟଙ୍କ ଭଳି ସେ ରାହୁଲ ଗାନ୍ଧୀଙ୍କ କୋର ଟିମର ସଦସ୍ୟ ଥିଲେ । ହେଲେ ଲଗାତାର ୨ ଥର ସାଂସଦ ପ୍ରାର୍ଥୀ ହୋଇ ବି ହାରିବା ପରେ ଏବେ ଦଳ ଛାଡିବା ନେଇ କୁହାଯାଉଛି ।
ଉଲ୍ଲେଖଯୋଗ୍ୟ, ଏକଦା ପ୍ରଦୀପ ମାଝୀଙ୍କ ବାପା ଭଗବାନ ମାଝୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଖୁବ୍ ଅନୁଗତ ଥିଲେ । ଭଗବାନ ମାଝୀ ଜନତା ଦଳରୁ ଝରିଗାଁ ବ୍ଲକର ଚେୟାରମ୍ୟାନ ଥିଲେ । ୧୯୯୪ ରୁ ୨୦୦୦ ଯାଏଁ ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ । ଦୁଇ ଦୁଇ ଥର ହାରିବା ପରେ ବର୍ତ୍ତମାନ ପ୍ରଦୀପ ନିଜ ବାପାଙ୍କ ରାଜନୀତି ମାର୍ଗରେ ଚାଲିବାକୁ ନିଷ୍ପତ୍ତି ନେଇ ଥାଇପାରନ୍ତି ବୋଲି ଜୋର ଧରିଛି ଚର୍ଚ୍ଚା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ