ବ୍ରହ୍ମଗିରି : ବ୍ରହ୍ମଗିରିରେ ପୁରୀ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୩ ଲକ୍ଷ ୬୪ ହଜାର ହିତାଧିକାରୀ ପାଇବେ ଏହାର ଲାଭ । ପୂର୍ବରୁ ମାଲକାନଗିରି, ସୁନ୍ଦରଗଡ, ବଲାଙ୍ଗୀର, ଗଜପତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି ।
ପୁରୀ ଜିଲ୍ଲାର ଜନସାଧାରଣ ବିକାଶ କାର୍ଯ୍ୟକ୍ରମକୁ ସବୁବେଳେ ଦୃଢ ସମର୍ଥନ ଦେଇ ସରକାରଙ୍କ ହାତମୁଠାରୁ ଟାଣ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ । ଏହା ସହିତ ଜିଲ୍ଲାବାସୀଙ୍କ ସ୍ନେହ ଓ ଆଦରକୁ ପାଥେୟ କରି ବିକାଶ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପୁରୀ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ଫ୍ଲାଗ୍ସିପ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ହାତକୁ ନେଇଛନ୍ତି । ମହାପ୍ରଭୁଙ୍କ ପବିତ୍ରଧାମ ପୁରୀର ବିକାଶ ହେଉଛି ଆମର ପବିତ୍ର ଦାୟିତ୍ବ । Drink from Tap କାର୍ଯ୍ୟକ୍ରମ ଜରିଆରେ ଏବେ ପୁରୀର ଜନସାଧାରଣ ଟ୍ୟାପ୍ରୁ ସିଧାସଳଖ ଫିଲଟର ମାନର ପାଣି ପାଇପାରୁଛନ୍ତି । ଏଭଳି ସୁବିଧା ପାଇବାରେ ପୁରୀ ହେଉଛି ସାରା ଦେଶରେ ପ୍ରଥମ । ପୁରୀବାସୀ ଲଣ୍ଡନ, ନ୍ୟୁୟର୍କ ଭଳି ସହରର ଲୋକଙ୍କ ଭଳି ସୁବିଧା ପାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି । ପିଲାଙ୍କ ପାଠପଢା ବନ୍ଦ କରନ୍ତି । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି କହିଛନ୍ତି ନବୀନ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭୂମି ପୂଜା କରିଛନ୍ତି । କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ସାଂସଦ ପିନାକୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନାଠାରୁ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର smart health cardରୁ କିପରି ଅଧିକ ସୁବିଧା ମିଳୁଛି ଏହା ଉପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ମତ ରଖିଥିଲେ । ଅନ୍ୟପକ୍ଷେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବ୍ରହ୍ମଗିରି ସମସ୍ୟା ଉପରେ ଆଲୋକପାତ କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ