ଭୁବନେଶ୍ବର: କୋରୋନା ଭୂତାଣୁକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସମେତ ସାରା ଦେଶରେ ଲକଡାଉନ ଜାରି କରାଯାଇଛି । ଅଣରାସନ କାର୍ଡଧାରୀମାନଙ୍କର ଘରୋଇ ବ୍ୟବହାର ନିମନ୍ତେ କିରୋସିନି ତେଲର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଣରାସନ୍ କାର୍ଡଧାରୀ ଖାଉଟିମାନଙ୍କୁ କିରୋସିନି ତେଲ ଯୋଗାଇଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।
ଜିଲ୍ଲାରେ ମାର୍ଚ୍ଚ ୨୦୨୦ରେ କିରୋସିନି ପାଇଁ ଧାର୍ଯ୍ୟ ହୋଇଥିବା ଦର ହିସାବରେ ଖାଉଟିମାନଙ୍କୁ ପ୍ରତି ପରିବାର ପିଛା ୨ ଲିଟର ଲେଖାଏଁ କିରୋସିନି ତେଲ ଯୋଗାଇ ଦିଆଯିବ । ଏହି ମର୍ମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି । ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ଉପଲବ୍ଧ ହେଉଥିବା କିରୋସିନିକୁ ଅଣରାସନ୍-କାର୍ଡଧାରୀମାନଙ୍କୁ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
କୋଭିଡ-୧୯ ପରି ଏକ ଅସ୍ୱାଭାବିକ ପରିସ୍ଥିତି ପରିପ୍ରେକ୍ଷୀରେ ଏପରି ପଦକ୍ଷେପ ନିଆଯାଉଛି, ଯଦ୍ବାରା ପ୍ରାୟ ୧୭ ଲକ୍ଷରୁ ଊର୍ଦ୍ଧ୍ବ ଅଣରାସନ କାର୍ଡଧାରୀ ପରିବାର ଉପକୃତ ହେବେ । କିରୋସିନି ବଣ୍ଟନ ପ୍ରକ୍ରିୟା ଶେଷ ହେବାପରେ ଏ ସଂପର୍କରେ ଏକ ବିସ୍ତୃତ ରିପୋର୍ଟ ବିଭାଗକୁ ପ୍ରେରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ