ଭୁବନେଶ୍ବର: ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନ ହେଲା ଆହୁରି ଶକ୍ତିଶାଳୀ । ମିଶନ ଶକ୍ତିକୁ ଆହୁରି ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ମିଶନ ଶକ୍ତି ମହିଳାଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ସହିତ ସୁଧ ରିହାତି ପ୍ରଦାନ, ଅନ୍ ଲାଇନ ମାର୍କେଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କ ପୋଷାକ ପାଇଁ ଭତ୍ତା ଘୋଷଣା ହୋଇଛି ।
ସେହିପରି ଫେଡେରେସନ ଇସି ମେମ୍ବର ମାନଙ୍କ ବୈଠକ ବାବଦ ଦେୟ ଓ ଗସ୍ତ ପାଇଁ ଭତ୍ତା ଘୋଷଣା କରାଯାଇଛି । ଜିଲ୍ଲା ସ୍ତରରେ ମିଶନ ଶକ୍ତି ଗଠନ ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ତୃଣମୂଳ ସ୍ତରରେ ମିଶନ ଶକ୍ତି ଆନ୍ଦୋଳନ ଆହୁରି ଜୋରଦାର ହେବା ସହିତ ଆର୍ଥିକ ଦୃଷ୍ଟିରୁ ଅଧିକ ସଶକ୍ତ ହେବ ନେଇ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ମାଆ ମାନଙ୍କ ସଶକ୍ତିକରଣ ବିନା କୌଣସି ରାଜ୍ୟ ବା ଦେଶ କିମ୍ବା ପରିବାର ଆଗେଇ ପାରିବ ନାହିଁ । ଓଡ଼ିଶା ମିଶନ ଶକ୍ତି ମାଆମାନଙ୍କ ସଶକ୍ତିକରଣ ଦିଗରେ ସଦା ସର୍ବଦା ବାଟ ଦେଖାଇ ଚାଲିଛି । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମିଶନ ଶକ୍ତି ମା'ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବିଭାଗ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମିଶନ ଶକ୍ତିର ମାଆ ମାନଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବହୁତ ଗୁରୁତ୍ବପୂର୍ଣ୍ଣ । ତେଣୁ ଭୁବନେଶ୍ବରରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତିଭୂମି ରଖାଯାଇଛି । ଏହା ସହିତ ମିଶନ ଶକ୍ତିର ଅନ୍ଲାଇନ ମାର୍କେଟିଂର ଶୁଭାରମ୍ଭ ମଧ୍ୟ ହୋଇଛି । ଏହାଦ୍ବାରା ସାରା ବିଶ୍ବରେ ମିଶନ ଶକ୍ତି ମାଆ ମାନଙ୍କର ଦ୍ରବ୍ୟ ବିକ୍ରୟ ହୋଇପାରିବ । ଆମେରିକା ଓ ଲଣ୍ଡନର ଲୋକମାନେ ମୟୂରଭଞ୍ଜ ଓ ମାଲକାନଗିରିର ମିଶନ ଶକ୍ତି ମାଆ ମାନଙ୍କର ଦ୍ରବ୍ୟ କିଣି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଦ୍ବାରା ମାଆ ମାନଙ୍କ ରୋଜଗାର ବୃଦ୍ଧି ହେବ । ଆଗାମୀ ଦିନରେ ସାରା ରାଜ୍ୟରେ ଏଭଳି ମିଶନ ଶକ୍ତି ବଜାର ସୃଷ୍ଟି କରାଯିବ ନେଇ ଘୋଷଣା ହୋଇଛି ।
କୋଭିଡ ସଂକ୍ରମଣରୁ ଆରମ୍ଭ କରି ବିଭିନ୍ନ ଜରୁରୀକାଳୀନ ସମୟରେ ମିଶନ ଶକ୍ତିର ମାଆମାନେ ଭଲ କାମ କରିଛନ୍ତି । ସେଥିପାଇଁ ଓଡିଶା ଋଣୀ । ମିଶନ ଶକ୍ତିର ମା ମାନଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେମାନେ ମିଶନ ଶକ୍ତିର ଗୌରବ ବୃଦ୍ଧି କରିଛନ୍ତି ।
ଆଜି ଦିନ ମିଶନ ଶକ୍ତି ପାଇଁ ଏକ ଐତିହାସିକ ଦିନ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନୀ ସାହୁ । ମାଆ ମାନେ ସରକାର ଓ ସମାଜ ମଧ୍ୟରେ ସେତୁବନ୍ଧ ଭାବରେ କାମ କରି ଆନ୍ଦୋଳନକୁ ମଜବୁତ କରିଛନ୍ତି । ବିଭାଗୀୟ ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ବରଗଡ, ନୂଆପଡା, ଗଞ୍ଜାମ ଓ ମୟୂରଭଂଜର ମିଶନ ଶକ୍ତି ବ୍ଲକ୍ ସଭାନେତ୍ରୀ ମାନଙ୍କ ସହିତ ମତ ବିନିମୟ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ମିଶନ ଶକ୍ତିର ଇ-ମାର୍କେଟିଂ ପାଇଁ ଅନ୍ଲାଇନ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଏହା ସହିତ ଭୁବନେଶ୍ବର SIRD campusରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହିତ ସୁଧ ରିହାତି ବଣ୍ଟନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ୩୧୪ ବ୍ଲକ୍ର ବ୍ଲକ୍ ଫେଡେରେସନର ସଭାନେତ୍ରୀ ଯୋଗ ଦେଇଥିଲେ ।
1- ମିଶନ ଶକ୍ତି ପାଇଁ ଋଣ ୬୦୦୦ କୋଟିରେ ପହଞ୍ଚିଲା:-
ମିଶନ ଶକ୍ତି ପାଇଁ ୫ ହଜାର କୋଟି ଟଙ୍କାର କାମ ଦେବା ପାଇଁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି । ଏବେ ରାଜ୍ୟ ସରକାରଙ୍କ ୨୧ଟି ବିଭାଗ ମିଶନ ଶକ୍ତିକୁ କାମ ଯୋଗାଇ ଦେଉଛନ୍ତି । ମିଶନ ଶକ୍ତିର ମାଆ ମାନେ ଏ ବର୍ଷ ଏପର୍ଯ୍ୟନ୍ତ ୬ ହଜାର କୋଟି ଟଙ୍କାର ଋଣ ନେଲେଣି । ଏହି ଋଣ ପାଇଁ ସୁଧ ରିହାତି ବାବଦରେ ୨୦୦ କୋଟି ଟଙ୍କା ଦିଆଗଲା । ଏଥିପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବ୍ୟାଙ୍କ ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଷ୍ଟେଟ୍ ବ୍ୟାଙ୍କ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ, ପଞ୍ଜାବ ନେସ୍ନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କ ଆଦି ବ୍ୟାଙ୍କ ଗୁଡିକୁ ସୁଧ ରିହାତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଅନ୍ୟ ବ୍ୟାଙ୍କଗୁଡିକ ମାନେ ଏହିଭଳି ଭାବରେ କାମ କରିବା ପାଇଁ ପରାମର୍ଶ ଦିଆଯାଇଛି ।
2- ମିଶନ ଶକ୍ତି ସଦସ୍ୟଙ୍କ ବୈଠକ ଓ ଗସ୍ତ ଭତ୍ତା ପାଇଁ ୨୦୦ କୋଟି ମଞ୍ଜୁର:-
ମିଶନ ଶକ୍ତିର ମାଆ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ସମାଧାନ ପାଇଁ ବ୍ୟବସ୍ଥା କରିବାକୁ ସେ ମିଶନ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ମିଶନ ଶକ୍ତି ମାଆ ମାନଙ୍କ ନିବେଦନ ଅନୁଯାୟୀ ରାଜ୍ୟ ସରକାର ମିଶନ ଶକ୍ତି ଫେଡେରେସନର EC ସଦସ୍ୟମାନଙ୍କ ବୈଠକ ବାବଦ ଖର୍ଚ୍ଚ ଓ ଗସ୍ତ ପାଇଁ ଭତ୍ତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ସେ ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଛି ।
3- ପଞ୍ଚାୟତ କମ୍ୟୁନିଟି ଷ୍ଟାଫଙ୍କୁ ପୋଷାକ ପାଇଁ ଭତ୍ତା:-
ପଞ୍ଚାୟତ ସ୍ତରରେ ସବୁ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ମିଳିବ ପୋଷାକ (Uniform) ପାଇଁ ଭତ୍ତା । ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
4- ପ୍ରତି ଜିଲ୍ଲାରେ ମିଶନ ଶକ୍ତି ଭବନ ପାଇଁ ଏକ କୋଟି
ଆର୍ଥିକ ଦୃଷ୍ଟିରୁ ମାଆମାନେ ଆହୁରି ସଶକ୍ତ କରିବା ଆବଶ୍ୟକ । ସେଥିପାଇଁ ଯେଉଁ ଗାଁରେ ବ୍ୟାଙ୍କ୍ ନାହିଁ, ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ସଖୀମାନଙ୍କୁ ଦାୟିତ୍ବ ଦିଆଯିବ । ଏବେ ସବୁ ପଞ୍ଚାୟତ ଓ ୱାର୍ଡରେ ମିଶନ ଶକ୍ତି ଘର ନିର୍ମାଣ କରାଯାଉଛି । ସବୁ ବ୍ଲକ୍ ଓ ରାଜ୍ୟ ସ୍ତରରେ ମଧ୍ୟ ମିଶନ ଶକ୍ତି ଭବନ କରାଯିବ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିଛନ୍ତି । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏଁ ଦିଆଯିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ