ଭୁବନେଶ୍ବର: ଭାରତକୁ ସାଉଦି ଆରବ ପଠାଇଛି ୬୦ ଟନ୍ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇଏସଓ କଣ୍ଟେନର । ଆଗାମୀ ଦିନରେ ଅଧିକ ୧୦୦ଟି ଆଇଏସଓ କଣ୍ଟେନର ପଠାଇବାର ବ୍ୟବସ୍ଥା କରାଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବର ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କୋରୋନା ବିରୋଧୀ ମୁକାବିଲାରେ ଭାରତକୁ ସହଯୋଗ କରିବା ପାଇଁ ସାଉଦିଆରବରୁ ୬୦ ଟନ୍ ଲିକୁଇଡ୍ ମେଡ଼ିକାଲ ଅକିଜେନ ଓ ୩ଟି ଆଇଏସଓ କଂଟେନର ଆସୁଅଛି । ଏହି କଣ୍ଟେନର ଜୁନ ୬ରେ ମୁମ୍ବାଇରେ ପହଞ୍ଚିବ । ଏହାସହ ଆଗାମୀ ଦିନରେ ଅତିରିକ୍ତ ୧୦୦ଟି ଆଇଏସଓ କଣ୍ଟେନର ସାଉଦିଆରବରୁ ଆସିବା ନେଇ ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି ।
ସାଉଦିଆରବର ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଉଦିଆରବର ନେତୃତ୍ବ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କର ପ୍ରତିଫଳନ ବୋଲି ସେ କହିଛନ୍ତି । ଏହି ୩ କଣ୍ଟେନର ଏବଂ ଆଗାମୀ ଦିନରେ ଆସିବାକୁ ଥିବା କଣ୍ଟେନର ଗୁଡ଼ିକ ୬ ମାସ ପର୍ଯ୍ୟନ୍ତ ଇଣ୍ଡିଆନ ଅଏଲ ପାଖରେ ରହିବ ।
ସାଉଦି ଆରବର କମ୍ପାନୀ ଲିନ୍ଦେ ଦାମନମ୍ ଠାରୁ ଇଣ୍ଡିଆନ ଅଏଲ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ୍ ଦେଶ ପାଇଁ ଆମଦାନୀ କରିବ । ଚଳିତ ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତକୁ କୋଭିଡ୍ ବିରୋଧୀ ଲଢ଼େଇରେ ନିରନ୍ତର ସହଯୋଗ କରିବା ଉପରେ ପ୍ରିନ୍ସ ଅବୁଦୁଲାଜିଜ୍ ସହ ଆଲୋଚନା କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ