ଭୁବନେଶ୍ବର: ଆସନ୍ତା ସୋମବାର ଅର୍ଥାତ 2 ତାରିଖରୁ ସମସ୍ତ ରୁଟରେ ଗଡିବ ମୋ ବସ । ସମସ୍ତ 25 ରୁଟରେ ମୋ ବସ ଚାଲିବ ବୋଲି ସୂଚନା ଦେଇଛନ୍ତି କ୍ରୁଟର ଜେନେରାଲ୍ ମ୍ୟାନେଜର ଦୀପ୍ତି ମହାପାତ୍ର । କୋଭିଡ଼ ସ୍ଥିତିରେ ସୁଧାର ଆସିଥିବାରୁ ଏହି ନିଷ୍ପତ୍ତି ନେଇଛି କ୍ରୁଟ । ଅଗଷ୍ଟ 2ରୁ ସୋମବାର ଠାରୁ ରାଜଧାନୀ ଅଞ୍ଚଳର ସମସ୍ତ ମାର୍ଗରେ ମୋ ବସ୍ ସେବା ସ୍ୱାଭାବିକ ହେବ । ତେବେ ଖୋର୍ଦ୍ଧା, କଟକ ଓ ପୁରୀରେ ସପ୍ତାହନ୍ତ ସଟଡ଼ାଉନ ବଳବତ୍ତର ଥିବାରୁ ଶନିବାର ଓ ରବିବାର ଗଡିବନି ମୋ ବସ । ଏହାସହ ରାତ୍ରିକାଳୀନ କର୍ଫ୍ୟୁକୁ ଦୃଷ୍ଟିରେ ରଖି ସୋମବାରରୁ ଶୁକ୍ରବାର ସକାଳ 7 ରୁ ସନ୍ଧ୍ୟା 7 ଯାଏଁ ଚାଲିବ ବସ । 25 ଟି ରୁଟରେ ମୋଟ 194 ଟି ବସ୍ ଚଳାଚଳ କରିବ ବୋଲି କ୍ରୁଟର ଜେନେରାଲ୍ ମ୍ୟାନେଜର ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି ।
ସୋମବାରରୁ ସବୁ ରୁଟରେ ଗଡିବ ମୋ ବସ୍; ନୋ ମାସ୍କ, ନୋ ଏଣ୍ଟ୍ରିକୁ ଗୁରୁତ୍ୱ ଦୀପ୍ତି କହିଛନ୍ତି ଯେ, ସପ୍ତାହନ୍ତ ସଟଡ଼ାଉନରେ ନିୟମିତ ବସ ସେବା ବନ୍ଦ ରହିବ । କିନ୍ତୁ ପୂର୍ବ ପରି ଟ୍ରେନ ଓ ପ୍ଲେନ ଯାତ୍ରୀଙ୍କୁ ଦୃଷ୍ଟିରେ ରଖି ବସ୍ ସେବା ରେଳ ଷ୍ଟେସନରୁ କଟକ ଏବଂ ଖୋର୍ଦ୍ଧା ପର୍ଯ୍ୟନ୍ତ ଜାରି ରହିବ । ବିମାନବନ୍ଦରରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ସେବା ଉପଲବ୍ଧ ହେବ ।କୌଣସି ଯାତ୍ରୀଙ୍କୁ ବସ୍ରେ ଛିଡା ହୋଇ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ନୋ ମାସ୍କ, ନୋ ଏଣ୍ଟ୍ରିକୁ ଗୁରୁତ୍ୱ ଦିଆଯାଇଛି । ଦୀପ୍ତି କହିଛନ୍ତି ଯେ, ଆମେ ସମସ୍ତ ଯାତ୍ରୀଙ୍କୁ ନିବେଦନ କରୁଛୁ ଯେ ସେମାନେ ମୋ ବସରେ ଯାତ୍ରା କରୁଥିବାବେଳେ ସତର୍କତା ଅବଲମ୍ବନ କରନ୍ତୁ । ମୋ ବସ ସେବାରେ ନିୟୋଜିତ ସମସ୍ତ ସଦସ୍ୟଙ୍କୁ ଦୁଇ ଡୋଜ ଟିକା ଦିଆଯାଉଛି । ଏଥିସହ ବସ୍ରେ ନିୟୋଜିତ କର୍ମଚାରୀ ଓ ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଷ୍ଟାଣ୍ଡାର୍ଡ ପ୍ରଣାଳୀ ଅନୁଯାୟୀ ମୋ ବସ୍ ସଫା କରିବା ଏବଂ ଡିଜେନ୍ସିଫିକେସନ୍ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ