ଭୁବନେଶ୍ବର: ଲକଡାଉନ ସମୟରେ ବାଟବଣା ହୋଇଛି ରୋଗୀ ସେବା। ଲକଡାଉନ ପ୍ରଭାବରେ ଜୀବନ ଯାତ୍ରା ଏକ ରକମ ଠପ ହୋଇଯାଇଛି । ଲକଡାଉନର ପ୍ରଥମ, ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ସାଧାରଣ ଲୋକେ ହନ୍ତସନ୍ତ ହେବା ସହ ବଞ୍ଚିବାର ରାହା ଖୋଜୁଛନ୍ତି ଅନେକ । ଏଭଳି ସମୟରେ ଛୋଟ ପୋଲି କ୍ଲିନିକ କିମ୍ବା ଛୋଟ ହସ୍ପିଟାଲ କରି ଗୁଜୁରାଣ ମେଣ୍ଟାଉଥିବା ତଥା ଅନ୍ୟମାନଙ୍କୁ ସହଯୋଗ କରୁଥିବା ଲୋକମାନେ ବି ଏବେ ହତାଶ । ଆୟର ମାଧ୍ୟମ ନାହିଁ, ତାଛଡା ନିହାତି ଆବଶ୍ୟକ ଥିବା ସାଧାରଣ ଲୋକଙ୍କ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ପାରୁନହାନ୍ତି । ସେଥିପାଇଁ ସେମାନେ ଅନିଶ୍ଚିତତା ଭିତରେ ସମୟ କାଟୁଛନ୍ତି ।
ଏପରି ସ୍ଥିତିରେ ଗ୍ରାଉଣ୍ଡର ସ୍ଥିତି ପରଖିଥିଲା ଇଟିଭି ଭାରତ ଟିମ । ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଅଞ୍ଚଳର ନିଗମ ମେଡି ହୋମ କ୍ଲିନିକ ଉପରେ କେବଳ ବାଲିପାଟଣା ଅଞ୍ଚଳବାସୀ ନୁହନ୍ତି ବରଂ ଆଖପାଖର ପ୍ରାୟ 10 କିଲୋମିଟର ଅଞ୍ଚଳର ଲୋକମାନେ ନିର୍ଭର କରଥାନ୍ତି । ପାଖରେ ଅନ୍ୟ କିଛି ଉନ୍ନତମାନର ସ୍ବାସ୍ଥ୍ୟ ସେବାର ସୁବିଧା ନଥିବାରୁ 2019 ମସିହାରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଘରୋଇ ଉଦ୍ୟମରେ ଏଭଳି ଏକ ପୋଲି କ୍ଲିନିକ ଆରମ୍ଭ କରିଥିଲେ ଡ଼ଃ ଅନୁପମ ବେହେରା । ଧୀରେ ଧୀରେ ରୋଗୀଙ୍କର ଆବଶ୍ୟକତାକୁ ମେଣ୍ଟାଇବା ସହିତ କ୍ଲିନିକ ଭଲ ଚାଲିବାକୁ ଲାଗିଲା । କ୍ଲିନିକ ପକ୍ଷରୁ ଲୋକମାନଙ୍କୁ ସ୍ବଳ୍ପ ଖର୍ଚ୍ଚରେ ସଠିକ ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରାଯାଉଥିଲା ।
ହେଲେ ଲକଡାଉନ କାରଣରୁ ଗତ 2 ମାସ ହେଲା ବନ୍ଦ ପଡିଥିଲା କ୍ଲିନିକ । କର୍ମଚାରୀ ଆସି ପାରୁନଥିବାରୁ ବ୍ୟାବସାୟିକ ଲାଭ ତ ଦୂରର କଥା ସବୁଠୁ ବେଶି ପ୍ରଭାବିତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଭଲ ସ୍ବାସ୍ଥ୍ୟ ସୁବିଧା ବା ଚିକିତ୍ସା ପାଇଁ ପାଖାପାଖି 20 କିଲୋମିଟର ଦୂର ଭୁବନେଶ୍ବର ଯିବାକୁ ପଡୁଥିବାରୁ ଭାଗ୍ୟକୁ ଆଦରି ପଡି ରହିଛନ୍ତି ସ୍ଥାନୀୟବାସିନ୍ଦା । ସେହିଭଳି ଭୁବନେଶ୍ବର ତଳି ଅଞ୍ଚଳ ବରଗଡ ଗାଁ ଛକରେ ଥିବା କ୍ରିଷ୍ଣା ପୋଲି କ୍ଲିନିକର ଅନୁରୂପ ସ୍ଥିତି । ଏହାର ପରିଚାଳକ ହେଉଛନ୍ତି ବିକାଶ କୁମାର ସାହୁ । କେବଳ ଅଳ୍ପ ଲାଭ ଓ ସେବା ମନୋବୃତି ନେଇ 8 ବର୍ଷ ତଳେ ଏଭଳି ଉଦ୍ୟମ ଆରମ୍ଭ କରିଥିଲେ ବିକାଶ । କିନ୍ତୁ କୋରୋନା ଲକଡାଉନ କଟକଣା ତାଙ୍କର ସେ ସେବା ମାନସିକତାକୁ ଦୋହଲାଇ ଦେଇଛି । କୋରୋନା ଭୟ ଲାଗି ରହିଥିବାରୁ ଛୋଟ ମୋଟ ରକ୍ତ ପରୀକ୍ଷା ବି ହୋଇ ପାରୁନାହିଁ । ଫଳରେ ହାତବାନ୍ଧି ବସିଛନ୍ତି କ୍ଲିନିକ ମାଲିକ।
ଜୀବନ ଏବଂ ଜୀବିକାକୁ ନେଇ ଦୋ ଛକିରେ ଛିଡା କରି ଦେଇଥିବା ମହାମାରୀ କୋରୋନା ସଂକ୍ରମଣ ଏବେ ସାଧାରଣ ରୋଗୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଗରୁ ଅସୁସ୍ଥ ହେଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡୁଥିବା ବେଳେ ଏବେ ଅସୁବିଧା ଯୋଗୁଁ ଦେହର ଯନ୍ତ୍ରଣା ଦେହରେ ମାରିବାକୁ ବାଧ୍ୟ ହେଉଛନ୍ତି ଲୋକେ । ସାମାନ୍ୟ ଅସୁସ୍ଥତା ଥିଲେ ପାଖରେ ଘରୋଇ କ୍ଲିନିକ ଥିବାରୁ ସୁବିଧା ରେ ଡାକ୍ତର ଦେଖେଇ ପାରୁଥିଲେ । ଏବେ ସେ ସବୁ ବି ବନ୍ଦ । ଏମିତିରେ ଏବେ ସମସ୍ତଙ୍କର ଗୋଟିଏ ହିଁ ଭରଷା, କେବେ ଉଠିବ ଲକଡାଉନ ଆଉ କେବେ ସ୍ବାଭାବିକ ହେବ ପରିସ୍ଥିତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ