ଭୁବନେଶ୍ବର: ଗତ କିଛି ବର୍ଷ ହେଲା ରାଜ୍ୟରେ ଗୋଟିଏ ନୂଆ ପରମ୍ପରା ସୃଷ୍ଟି ହୋଇଛି । ରାଜ୍ୟ ଶାସନର ମୁଖ୍ୟ ଥିବା ଅଫିସରଙ୍କୁ ରାଜ୍ୟ ସରକାର ଅବସରର ସୁଯୋଗ ଦେଉନାହାନ୍ତି । ସେ ମୁଖ୍ୟ ଶାସନ ସଚିବ ହୁଅନ୍ତୁ କି ପୋଲିସ ମହାନିର୍ଦ୍ଦେଶକ ସମସ୍ତଙ୍କୁ କାର୍ଯ୍ୟକାଳ ପୂର୍ବରୁ ସରକାର ବିତାଡିତ କରୁଛନ୍ତି । ଏହି ଅଫିସର ମାନଙ୍କୁ ବିତାଡିତ କରାଯାଉଛି ନା ସେମାନେ ସ୍ବଇଛାରେ ଛାଡୁଛନ୍ତି ଏବେ ତାହାକୁ ନେଇ ଉଠିଛି ପ୍ରଶ୍ନ । ପୂର୍ବତନ ମୁଖ୍ୟ ଶାସନ ସଚିବ ଥିବା ଯୁଗଳ ମହାପାତ୍ର, ଗୋକୁଳ ପତି, ବିଜୟ ପଟ୍ଟନାୟକ, ଆଦିତ୍ୟ ପ୍ରସାଦ ପାଢୀ ଏମାନେ କେହି ନିଜ କାର୍ଯ୍ୟକାଳ ପୂରା କରି ପାରିନାହାନ୍ତି ।
ସେହିପରି ରାଜ୍ୟ ପୋଲିସ ମୁଖିଆଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା । ପ୍ରକାଶ ମିଶ୍ର, ସଞ୍ଜୀବ ମାରିକ, କେବି ସିଂ ଓ ରାଜେନ୍ଦ୍ର ପ୍ରସାଦ ଶର୍ମା ଏମାନେ କେହି ନିଜ ପଦରୁ ଅବସର ନେଇ ନାହାନ୍ତି । ତାଙ୍କୁ ବାହାର କରାଯାଇଛି କିମ୍ବା ଅବସର ନେବାର ରାସ୍ତା ଖୋଲି ଦିଆଯାଇଛି । ପାୱାର କରିଡରରେ ଏହାକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ବିରୋଧୀ ସରକାରଙ୍କୁ ନିଶାଣ କରିଛନ୍ତି ।
ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଜୁନିଅର ଅଫିସରଙ୍କ ନିର୍ଦ୍ଦେଶରେ ଚାଲିବାକୁ ବରିଷ୍ଠ ଅଧିକାରୀଙ୍କ ପାଇଁ ଅଶ୍ଵସ୍ତିକର ମନେ ହେଉଛି । ସେମାନେ ଅସହାୟ ହୋଇ ପଦ ଛାଡ଼ୁଛନ୍ତି ବୋଲି କହିଛନ୍ତି। ସେହିପରି କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ସମ୍ମାନର ସହିତ କାମ କରିବାକୁ ହୁଏତ ଅନେକ ସୁଯୋଗ ପାଉ ନାହାଁନ୍ତି। ତେଣୁ ସେମାନେ ଛାଡି ପଳାଉଛନ୍ତି। ବିଜେଡି କିନ୍ତୁ ବିରୋଧୀଙ୍କ ଅଭିଯୋଗକୁ ଭିତ୍ତିହୀନ କହିବା ସହ ଅଫିସରଙ୍କ ଉପରେ କୌଣସି ଚାପ ନାହିଁ । ଛାଡିବା ରହିବା ତାଙ୍କ ଇଛା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ