ଭୁବନେଶ୍ବର: ଆଗେଇବ ଟିଟିଲାଗଡ଼ ଓ ବିଜୟନଗରମ ତୃତୀୟ ରେଳ ଲାଇନ କାର୍ଯ୍ୟ । ଏହା ସହ ବିଜୁ ଏକ୍ସପ୍ରେସ ୱେ, ରେତ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ହେବ ତ୍ୱରାନ୍ୱିତ । ଏଥିପାଇଁ ଖୁବ୍ଶୀଘ୍ର ଶେଷ ହେବ ଜମି ଅଧଗ୍ରହଣ କାର୍ଯ୍ୟ । ଜାତୀୟ ରାଜପଥ ୨୬ରେ ଭବାନୀପାଟଣା ସହର ନିମନ୍ତେ ଲିଙ୍କ ରୋଡ ପାଇଁ ଖୁବ୍ଶୀଘ୍ର ଜମି ଅଧିଗ୍ରହଣ ନିମନ୍ତେ ନିର୍ଦ୍ଦେଶ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ।
କଳାହାଣ୍ଡି ଗସ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜିଲ୍ଲାର ରାଜସ୍ଵ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜମି ଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମି ଗ୍ରହଣ ଅଧିକାରୀ, ତହସିଲଦାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ ସଚିବ । ତହସିଲ ଓ ନିବନ୍ଧନ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ଜନସାଧାରଣଙ୍କୁ ସମ୍ମାନର ସହିତ ସେମାନଙ୍କର ଅଭିଯୋଗ ଶୁଣାଣି ଓ ଅଭିଯୋଗ ଉପରେ ତୁରନ୍ତ ନ୍ୟାୟୋଚିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଆସନ୍ତା ୧ ମାସ ମଧ୍ୟରେ ସମସ୍ତ ଦାଖଲ ଖାରଜ ମାମଲା ସମ୍ପୂର୍ଣ୍ଣ କରି ଜନସାଧାରଣଙ୍କୁ ଠିକ ସମୟରେ ପଟ୍ଟା ଦେବାକୁ କଳାହାଣ୍ଡି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । କଳାହାଣ୍ଡି ଜିଲ୍ଲାରେ ୨୨୫ ଲଘୁ ଖଣିଜ ଉତ୍ସରୁ ମାତ୍ର ୧୦୩ ଲଘୁ ଖଣିଜ ଉତ୍ସ କାର୍ଯ୍ୟକ୍ଷମ ହୋଇଛି । ଅବଶିଷ୍ଟ ଲଘୁ ଖଣିଜ ଉତ୍ସକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ କ୍ଷେତ୍ରାଧିକାରୀଙ୍କୁ ଲଘୁ ଖଣିଜ ସଂପଦରୁ ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱାରୋପ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଳବାଇ, ଜାତୀୟ ରାଜପଥ ଓ ଜଳସେଚନ ପ୍ରକଳ୍ପ ପାଇଁ ଜମି ଅଧଗ୍ରହଣରେ ବିଳମ୍ବ ନକରିବାକୁ ସମସ୍ତ ଜମି ଅଧଗ୍ରହଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲା ମଧ୍ୟରେ କାର୍ଯ୍ୟକ୍ଷମ ଟିଟିଲାଗଡ ବିଜୟନଗରମ ଓ ବିଜୁ ଏକ୍ସପ୍ରେସଓ୍ବେ ନିମନ୍ତେ ତ୍ଵରିତ ଜମି ଅଧଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜାତୀୟ ରାଜପଥ ୨୬ରେ ଭବାନୀପାଟଣା ପାଇଁ ଲିଙ୍କ ରୋଡ ନିମନ୍ତେ ଖୁବ୍ଶୀଘ୍ର ଜମି ଅଧଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସମସ୍ତ ସରକାରୀ ପ୍ରକଳ୍ପରେ ଜମି ଅଧଗ୍ରହଣ କରି ଦାଖଲ ଖାରଜ ମାମଲାରେ ପଟ୍ଟା ସଂଶୋଧନ କରି ଜାତୀୟ ରାଜପଥ ପ୍ରାଧିକରଣ ଓ ରେଳପଥ କର୍ତ୍ତୃପକ୍ଷଙ୍କୁ ଜମି ହସ୍ତାନ୍ତରଣ ଉପରେ ଗୁରୁତ୍ୱାରୋପ କରାଯାଇଛି ।
ସମସ୍ତ ୫ଟି ଉଚ୍ଚ ବିଦ୍ୟାଳୟକୁ ଏପ୍ରିଲ ୩୦ ସୁଦ୍ଧା ସଂଶୋଧିତ ଜମି ପଟ୍ଟା ଦେବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉପଯୁକ୍ତ ହିତାଧିକାରୀଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ମାଧ୍ୟମରେ ଅଗ୍ରାଧିକାର ଭିତ୍ତିରେ ଜମି ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୂଲ୍ୟବାନ ସରକାରୀ ଜମିକୁ ସୁରକ୍ଷା ଓ ସଂରକ୍ଷଣ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ