ଭୁବନେଶ୍ବର: 2022 ପଞ୍ଚାୟତ ନିର୍ବାଚନୀ ଫଳାଫଳ ଅତୀତର ସବୁ ରେକର୍ଡକୁ ଭାଙ୍ଗି ଦେଇଛି । କ୍ଷମତାରେ ଥିବା ବିଜେଡି ଏଥର ୮୬ ପ୍ରତିଶତରୁ ଅଧିକ ଆସନରେ ବିଜୟୀ ହୋଇଛି । ୩୦ ଜିଲ୍ଲାରେ ପରିଷଦ ଗଠନ କରିବ ଦଳ । ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବ । ଏହି କ୍ରମରେ ରାଜଧାନୀରେ ମେୟର ମଧ୍ୟ ନିର୍ବାଚିତ ହେବେ । ତେବେ ଏଥର ମେୟରଙ୍କଠାରୁ ଭୁବନେଶ୍ବରବାସୀ ଅନେକ ଆଶା ବାନ୍ଧି ବସିଛନ୍ତି ।
ରାଜଧାନୀବାସୀ ତାପସ କୁମାର ଦାସଙ୍କ ମତରେ ମେୟର ଯେଉଁ ଦଳର ହୁଅନ୍ତୁ ନା କାହିଁକି ସେ ମହାନଗର ନିଗମର ସମସ୍ତ ସମସ୍ୟାକୁ ନଜର ରଖିବା ଆବଶ୍ୟକ । ରାଜଧାନୀ ଅନେକ ସମସ୍ୟା ଦେଇ ଗତି କରୁଛି । ଏବେବି ରାଜଧାନୀତରେ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ହେଉଛି । ବିଗତ ଦିନରେ ରାଜଧାନୀ ଯେଉଁ ସ୍ମାର୍ଟ ସିଟି ହୋଇଥିଲା, ସେହି ଯୋଜନା ଏବେ ମାଟିରେ ମିଶିଯାଇଥିବା ଅଭିଯୋଗ ହୋଇଛି । ସ୍ମାର୍ଟସିଟି ଯୋଜନା ଆଗକୁ କିଭଳି ଭାବେ ତ୍ବରାନ୍ବିତ ହୋଇପାରିବ ସେନେଇ ଧ୍ୟାନ ଦେଇ କାର୍ଯ୍ୟ କରୁଥିବା ମେୟର ହେଲେ ଜନସାଧରଣ ଉପକୃତ ହୋଇପାରିବେ ।
ସେପଟେ ଆଉ ଜଣେ ରାଜଧାନୀ ବାସିନ୍ଦା ରମେଶ ପାତ୍ରଙ୍କ ମତରେ ଦୀର୍ଘ ବର୍ଷ ଧରି ଭୁବନେଶ୍ୱର ମହାନଗର ନିଗମରେ ମେୟର ନାହାନ୍ତି । ମେୟର ଦଳଠାରୁ ଊର୍ଦ୍ଧ୍ବରେ ରହି ଲୋକଙ୍କ ସେବା କରିବେ । ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତାଘାଟ ଏବଂ ଅନେକ ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଛି । ଭୁବନେଶ୍ୱର ସହର ନାମକୁ ମାତ୍ର ସ୍ମାର୍ଟସିଟି ହୋଇ ରହିଛି । ନା ଏଠାରେ କିଛି ଉନ୍ନତି ହେଉଛି ନା ରାସ୍ତାଘାଟ ଠିକ ରହିଛି ।
ଭୁବନେଶ୍ବରବାସୀ ନିରୂପମା ଦାସ କହିଛନ୍ତି ଯେ, "ମେୟର ନିର୍ବାଚନରେ ବିଶେଷ ଭାବରେ ମହିଳା ଓ ଝିଅଙ୍କ ସୁରକ୍ଷା ସମେତ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ପ୍ରତିୱାର୍ଡରେ ଲୋକଙ୍କ ସମସ୍ୟାର ସମାଧାନ କରିବା ଆବଶ୍ୟକ ।"
ରାଜ୍ୟର ୧୦୬ ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହୋଇ ସାରିଛି । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ପଡ଼ିବ ଭୋଟ । ଚଳିତ ଥର କାଉନସିଲର/କର୍ପୋରେଟର ଓ ପୌର ଅଧ୍ୟକ୍ଷ/ମେୟର ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ । ଅଥାର୍ତ ଏହି ପଦ ପାଇଁ ସିଧାସଳଖ ଭୋଟ ଦେବେ ଭୋଟର । ପ୍ରଥମଥର ପାଇଁ ପୌର ନିର୍ବାଚନରେ ଇଭିଏମରେ ନୋଟା ବିକଳ୍ପ ରହିବ । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୭ ତାରିଖ ଯାଏଁ ଚାଲିବ । ମାର୍ଚ୍ଚ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ମାର୍ଚ୍ଚ ୨୪ ତାରିଖରେ ମତଦାନ ପରେ ମାର୍ଚ୍ଚ ୨୬ ତାରିଖରେ ଗଣତି ଆରମ୍ଭ ହେବ । ଏହାପରେ ଅପ୍ରେଲ ୭ ତାରିଖରେ ଡପାଧ୍ୟକ୍ଷ ନିର୍ବାଚନ ଓ ପରେ ଅପ୍ରେଲ ୮ ତାରିଖରେ ଡେପୁଟି ମେୟର ନିର୍ବାଚନ ହେବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ