ଭୁବନେଶ୍ବର: ରାସ୍ତାକଡ ଅବରୋଧ କରି ଗାଡ଼ି ରଖୁଛନ୍ତି କି ? ହୋଇ ଯାଆନ୍ତୁ ସତର୍କ । କେଉଁ ମୁହୂର୍ତ୍ତରେ ବି ଆପଣଙ୍କ ଗାଡି ନେଇ ଯାଇପାରେ କମିଶନରେଟ ପୋଲିସ । କାରଣ ଟ୍ବିନ ସିଟିରେ ଆରମ୍ଭ ହୋଇଛି ଗାଡି ଟଣା ଅଭିଯାନ । ଶନିବାର ଟ୍ରାଫିକ ଡିସିପି ସୌମ୍ୟା ମିଶ୍ରଙ୍କ ନିର୍ଦ୍ଦେଶରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଏହି ଗାଡି ଟଣା ଅଭିଯାନ ଆରମ୍ଭ ହୋଇଛି । ବରମୁଣ୍ଡା ବସଷ୍ଟାଣ୍ଡ ଅବରୋଧ କରି ରହିଥିବା କିଛି ବସକୁ କ୍ରେନ ମାଧ୍ୟମରେ ଟାଣି ନିଆଯାଇଛି । ତେବେ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ରାଜଧାନୀ ରାସ୍ତାକଡରୁ ପୁରୁଣା ଗାଡିଗୁଡିକୁ ହଟାଇବା ପାଇଁ ଆଜିଠୁ ଏହି ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି ।
କେବେଳ ବରମୁଣ୍ଡା ନୁହେଁ, ରସୁଲଗଡ, କଳ୍ପନା, ନୟାପଲ୍ଲୀ ଭଳି ଜନଗହଳି ସ୍ଥାନରେ ଯେଉଁଠି ସାଧାରଣ ଲୋକଙ୍କୁ ଯାତାୟତରେ ଅସୁବିଧା ହେବ ସେଠାରେ ପାର୍କିଂ ହୋଇଥିବା ସମସ୍ତ ଭାରୀ ଯାନକୁ କ୍ରେନ ମାଧ୍ୟମରେ ଉଠାଇ ନିଆଯିବ ବୋଲି ଟ୍ରାଫିକ ଡିସିପି ସୂଚନା ଦେଇଛନ୍ତି ।
ଏହାବ୍ୟତୀତ ଏହି ଅଭିଯାନ ଜରିଆରେ ପରିତ୍ୟକ୍ତ ଭାବେ ପଡି ରହିଥିବା ଗାଡିକୁ ଉଠାଇବା ପାଇଁ ପ୍ରଥମେ ଡାକବାଜି ଜରିଆରେ ଅବଗତ କରାଯିବ । ନ ଶୁଣିଲେ ପରେ ସେସବୁକୁ କ୍ରେନ ଦ୍ବାରା ଟାଣି ନିଆଯିବ । ଇତିମଧ୍ୟରେ ଯଦି ଗାଡିର କୌଣସି କ୍ଷତି ହୁଏ, ସେନେଇ ଗାଡି ମାଲିକ ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବେ ବୋଲି ଏକ ବିଜ୍ଞପ୍ତି ଜରିଆରେ ସହରବାସୀଙ୍କୁ ଜଣାଇଛନ୍ତି ଟ୍ରାଫିକ ଡିସିପି ସୌମ୍ୟା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ