ଭୁବନେଶ୍ବର: ଗରିବ ଖଟିଖିଆ ଠୁ ଆରମ୍ଭ କରି ବଡବଡିଆଙ୍କ କ୍ଷେତ୍ରରେ ଲକଡାଉନର ବିଶେଷ ପ୍ରଭାବ ପଡିଛି । ହେଲେ ଗରିବ, ପ୍ରବାସୀ ଶ୍ରମିକ କିମ୍ବା ଖଟିଖିଆଙ୍କ ପାଇଁ ସରକାର ସହାୟତାର ହାତ ବଢାଇଛନ୍ତି । କିନ୍ତୁ ଲାକଡାଉନ ସମୟରେ କିଭଳି ରହିଛି ବୃଦ୍ଧାଶ୍ରମ ? କେମିତି ଚଳୁଛନ୍ତି ଏମାନେ ? ନିଜ ଘର ଛାଡି ବୃଦ୍ଧାଶ୍ରମରେ ଆଶ୍ରୟ ନେଉଥିବା ଏହି ଲୋକଙ୍କର କିପରି ପୁରୁଛି ପେଟ ? ଏଥିପ୍ରତି କାହାରି ଦୃଷ୍ଟି ନାହିଁ । ଲକଡାଉନ ସମୟରେ ସରକାରୀ ବୃଦ୍ଧାଶ୍ରମକୁ କାଁ ଭାଁ କିଛି ସହାୟତା ମିଳିଥିବାବେଳେ ଘରୋଇ ବୃଦ୍ଧାଶ୍ରମକୁ କିଛି ସହାୟତା ମିଳିନାହିଁ । ଫଳରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏମାନେ ।
ରାଜ୍ୟରେ ଥିବା ପ୍ରାୟ 58 ଵୃଦ୍ଧାଶ୍ରମ ମଧ୍ୟରୁ କିଛି ସରକାରୀ ବୃଦ୍ଧାଶ୍ରମକୁ କାଁ ଭାଁ କିଛି ସହାୟତା ମିଳିଥିବାବେଳେ ଘରୋଇ ବୃଦ୍ଧାଶ୍ରମକୁ କିଛିବି ସହାୟତା ମିଳିନାହିଁ । ଫଳରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୃଦ୍ଧାଶ୍ରମର ଅନ୍ତେବାସୀ । ସରକାରୀ ସାହାଯ୍ୟ ବିନା ଦୀର୍ଘ 8 ବର୍ଷ ଧରି ରାଜଧାନୀରେ ସାଇକୃଷ୍ଣ ନାମକ ଏକ ଘରୋଇ ବୃଦ୍ଧାଶ୍ରମର ଅବସ୍ଥା ଠିକ ସେମିତି ।
ବୃଦ୍ଧାଶ୍ରମରେ ରହୁ ଥିବା ପ୍ରତ୍ୟେକ ଅନ୍ତେବସୀଙ୍କ କାହାଣୀ ଉଣା ଅଧିକେ ସମାନ ପ୍ରକାରର । ନିଜ ଆତ୍ମୀୟଙ୍କ ଦ୍ୱାରା ପ୍ରତାରିତ, ଆଖିର ଲୁହ ଓ ମନର କୋହକୁ ନିଜ ମଧ୍ୟରେ ଆବଦ୍ଧ କରି ବଂଚିବା ପାଇଁ କରନ୍ତି ଚେଷ୍ଟା । ଯେଉଁ ମାନଙ୍କ ପାଇଁ ଜୀବନର ସବୁ ସୁଖକୁ ଉସର୍ଗ କରିଥିଲେ ସେମାନେ ଆଜି ନିଜ ସୁଖ ପାଇଁ ଏମାନଙ୍କୁ ଛାଡି ଦେଲେ ବଂଚିବାକୁ ଏକା ଏକା । କାହାକୁ ବା କହିବେ ନିଜ ଦୁଃଖ । ସେଥିପାଇଁ ପରିସ୍ଥିତିକୁ ଆପଣେଇ ବଂଚିବା ପାଇଁ ଚେଷ୍ଟା କରୁଛନ୍ତି । କୋରୋନାକୁ ଦୃଷ୍ଟିରେ ରଖି ପରିଷ୍କାର ପରିଚ୍ଛନତା ପ୍ରତି ମଧ୍ୟ ଦୃଷ୍ଟି ଦେଉଛନ୍ତି । ସେପଟେ ଭୁବନେଶ୍ବରରେ ମୋଟ 8 ଟି ସରକାରୀ ସଂସ୍ଥା ରହିଛି । ଯେଉଁଠାରେ ପାଖାପାଖି 90 ଜଣ ଅନ୍ତେବାସୀ ରହୁଛନ୍ତି । ସରକାରଙ୍କ ପକ୍ଷରୁ ଜଣକ ପିଛା ଦିଆ ଯାଉଥିବା 45 ଟଙ୍କା ଯଥେଷ୍ଟ ହେଉନି ।
କିଛି ଖାଦ୍ୟ ଗଚ୍ଛିତ ଥିବାରୁ ଅନେକ ଦିନ ବିତିଯାଇଛି ସତ ହେଲେ ଆଗକୁ କଣ ହେବ ସେଥିପାଇଁ ସମସ୍ତେ ଚିନ୍ତାରେ । ଯଦି ବେଳ ଥାଉ ଥାଉ ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ନାନା ସମସ୍ୟାର ସମ୍ମୁଖୀନ ହେବେ ବୃଦ୍ଧାଶ୍ରମ ଅନ୍ତେବାସୀ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ