ଭୁବନେଶ୍ବର: ଦୀର୍ଘ ଦିନ ଧରି ଦେଶ ତଥା ରାଜ୍ୟରେ ମହାମାରୀ କୋରୋନା ଯୋଗୁଁ ଲକଡାଉନ ଜାରି ରହିଛି । ତେବେ ବର୍ତ୍ତମାନ ସରକାରୀ ନିୟମରେ କୋହଳ କରିବା ସହିତ ଅନେକ ଅନୁଷ୍ଠାନ ଓ ଦୋକାନ ବଜାର ଖୋଲିବା ପାଇଁ ଗାଇଡ଼ ଲାଇନ ଜାରି କରିଛନ୍ତି । ତେବେ ଏବେବି ଲୋକମାନଙ୍କ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସିଧାସଳଖ ଜଡିତ ଥିବା ଜିମ ଖୋଲିବା ନେଇ ପ୍ରତିବନ୍ଧକ ରହିଛି ।
ରାଜଧାନୀ ଭୁବନେଶ୍ବରରେ ଜିମ ବ୍ୟବସାୟୀ ତଥା ମାଲିକ ମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିମରେ କାର୍ଯ୍ୟ କରୁଥିବା ଟ୍ରେନର ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଦରମା ଦେବା ସହ ବିଦ୍ୟୁତ ବିଲ ଓ ଘରଭଡା ଦେବା ପାଇଁ ହଇରାଣ ହେଉଛନ୍ତି । ଏପରିକି ଘର ମାଲିକମାନେ ଭଡା ନ ଦେବାରୁ ଜିମ ବନ୍ଦ କରିଦେବାକୁ ଧମକ ଦେଉଥିବା କହିଛନ୍ତି । ଜିମ ଆସୁଥିବା ଲୋକମାନେ ଦୀର୍ଘ ଦିନ ଧରି ନ ଆସିବାରୁ ସେମାନଙ୍କ ଶାରୀରିକ ସନ୍ତୁଳନ ବିଗିଡି ଥିବା ଦେଖିବାକୁ ମିଳୁଛି ବୋଲି କହିଛନ୍ତି ।
ଆହୁରି ମଧ୍ୟ ଜିମ ଉପରେ ସମ୍ପୂର୍ଣ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା କର୍ମଚାରୀ ନାନା ପ୍ରକାର ଅଭାବ ଅନଟନର ଶିକାର ହେଉଛନ୍ତି । ତେଣୁ ସରକାର ଏ ବିଷୟରେ ଚିନ୍ତା କରିବା ସହ ଯଥାଶୀଘ୍ର ଜିମ ଖୋଲିବାକୁ ଓଡିଶା ଜିମ ମାଲିକ ସଂଘ ଦାବି କରିଛି । ନଚେତ ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସଂଘ ଦାବି ରଖିଥିବା ସଭାପତି ସତ୍ୟଜିତ ଦାଶ କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ