ଭୁବନେଶ୍ବର: ଶିମିଳିପାଳରେ ଆରମ୍ଭ ହେବ ସବୁଜ କୃଷି ପ୍ରକଳ୍ପ । ବିଲୁପ୍ତ ପ୍ରାୟ ପ୍ରଜାତିର ଉଦ୍ଭିଦ ଏବଂ ଜୀବଜନ୍ତୁ ସଂରକ୍ଷଣ କରାଯିବ । ଏହି ବିଷୟରେ ସଚେତନତା ସହିତ ଶିମିଳିପାଳ ଅଞ୍ଚଳର ଲୋକଙ୍କର ସାମଗ୍ରିକ ଉନ୍ନତି ହେବ । ରାଜ୍ୟ କୃଷି ଭବନରେ ସବୁଜ କୃଷି ପ୍ରକଳ୍ପର ତିନି ଦିନିଆ କର୍ମଶାଳାକୁ ଉଦଘାଟନ କରି ଏହା କହିଛନ୍ତି କୃଷି ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ।
ଗ୍ଲୋବାଲ ପରିବେଶ ସୁବିଧା ଦ୍ବାରା ଆର୍ଥିକ ଅନୁଦାନ ପ୍ରାପ୍ତ ସବୁଜ କୃଷି ପ୍ରକଳ୍ପ ମାଧ୍ୟମରେ ଦେଶରେ ଖାଦ୍ୟ ନିରାପତ୍ତା ଏବଂ କୃଷକଙ୍କ ଆୟ ବୃଦ୍ଧି ସହିତ ଜାତୀୟ ତଥା ବିଶ୍ବ ପରିବେଶର ହିତସାଧନ ପାଇଁ ଭାରତର କୃଷି କ୍ଷେତ୍ରରେ ପରିବର୍ତ୍ତନକୁ ଅନୁକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ପ୍ରକଳ୍ପ ଦ୍ବାରା କୃଷି କ୍ଷେତ୍ରରେ ସ୍ଥାୟିତ୍ବ ଏବଂ ଉତ୍ପାଦନ ବୃଦ୍ଧି ସହିତ ପରିବେଶର ହିତ ସାଧନର ଲକ୍ଷ୍ୟ ହାସଲ କରିବ ବୋଲି ମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନର ସମୟରେ କିଭଳି ଜୈବିକ ଉପାୟରେ କୃଷି କାର୍ଯ୍ୟ କରାଯିବା ସହ ଜଙ୍ଗଲ ସଂରକ୍ଷଣ ହୋଇ ପାରିବ ସେ ନେଇ କାର୍ଯ୍ୟ କରିବା ପାଇଁ ଏହି ପ୍ରକଳ୍ପ ଆରମ୍ଭ ହୋଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ