ଭୁବନେଶ୍ବର: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳଦର । କୋରୋନା ମହାମାରୀ ସାଙ୍ଗକୁ ତୈଳଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କଲାଣି । ଏ ନେଇ ବିରୋଧୀ କେନ୍ଦ୍ରରେ ଶାସିତ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସମାନ ଚିତ୍ର ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳୁଛି ।
ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଆସନ୍ତା 11 ତାରିଖରେ ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପ ସମ୍ମୁଖରେ ପ୍ରତିବାଦ କରିବ କଂଗ୍ରେସ । ଦରଦାମ ବହୁ ପରିମାଣରେ ବୃଦ୍ଧି ଘଟିବା ସହ ଲୋକେ ଅତିଷ୍ଠ ହୋଇଗଲେଣି । ତେଣୁ କୋରୋନା ସମୟରେ ମଧ୍ୟ ଏହାର ଜୋରଦାର ପ୍ରତିବାଦ କରିବ କଂଗ୍ରେସ । ବର୍ତ୍ତମାନ ପେଟ୍ରୋଲ ଡିଜେଲ ସମେତ ଖାଇବା ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରର ଅହେତୁକ ବୃଦ୍ଧି କୋରୋନାଠୁ ଅଧିକ କଷ୍ଟ ଦେଲାଣି । ତେଣୁ ଏହାର ଜୋରଦାର ପ୍ରତିବାଦ କରାଯିବ ବୋଲି କହଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।
କଂଗ୍ରେସର ପ୍ରତିବାଦ ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ଜବାବ ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବଢିବାରୁ ଏଠି ତୈଳଦର ବଢୁଛି । ଏ କଥାକୁ କେନ୍ଦ୍ର ସରକାର ଓ କେନ୍ଦ୍ରମନ୍ତ୍ରୀ ସ୍ବୀକାର କରିଛନ୍ତି । କେମିତି ତୈଳଦର ବୃଦ୍ଧି କମିବ, ନିୟନ୍ତ୍ରଣକୁ ଆସିବ ତା' ଉପରେ ବିଚାର ବିମର୍ଶ ଚାଲିଛି । ବିରୋଧୀ ରାଜନୈତିକ ଦଳ ମାନେ ଏହାକୁ ନେଇ ପ୍ରତିବାଦ କରିବା ଅଲଗା କଥା । କିନ୍ତୁ ଦର କିଭଳି କମିବ ସେ ନେଇ କେନ୍ଦ୍ର ସରକାର ବିଚାର ବିମର୍ଶ କରୁଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ