ଭୁବନେଶ୍ବର: ବିଦାୟ ନେଉଛନ୍ତି ଅଗ୍ରପୂଜ୍ୟ ବିଦ୍ୟାଦାତା ଗଜାନନ । ଶ୍ରଦ୍ଧାଳୁମାନେ ନଦୀ, ନାଳ, ସମୁଦ୍ର କିମ୍ବା ସ୍ବତନ୍ତ୍ର ଜଳାଶୟମାନଙ୍କରେ ଗଜାନନଙ୍କ ମୂର୍ତ୍ତିକୁ ବିସର୍ଜନ କରାଉଛନ୍ତି । ତେବେ ଏହାମଧ୍ୟରେ ଶହୀଦ ନଗରରେ ଏକ ଭିନ୍ନ ଢଙ୍ଗରେ ବିସର୍ଜନ କରାଯାଇଛି ଗଣେଶଙ୍କ ମୂର୍ତ୍ତି ।
ଶହୀଦ ନଗର ମଣ୍ଡପରେ ଉଇନର ଆସୋସିଏସନ ପକ୍ଷରୁ ନିର୍ମିତ ହୋଇଥିବା 46 ଫୁଟର ଦଶାବତର ଗଣେଶଙ୍କୁ ପୂଜା ପେଣ୍ଡାଲରେ ହିଁ ବିସର୍ଜନ କରାଯାଇଛି । ତେବେ ସମସ୍ତ ପୂଜାବିଧି ସରିବା ପରେ ପ୍ରଥମେ କ୍ଷୀର ଓ ତା'ପରେ ପାଣି ପମ୍ପ ଜରିଆରେ ଏହି ମୂର୍ତ୍ତିକୁ ବିସର୍ଜନ କରାଯାଇଛି ।
ଦିନକୁ ଦିନ ଜଳ ପ୍ରଦୂଷଣ ବୃଦ୍ଧି ପାଉଥିବା କାରଣରୁ ଅନୁଷ୍ଠାନ ପକ୍ଷରୁ ବିଗତ କିଛି ବର୍ଷ ଧରି ଏହି ଭଳି ବିସର୍ଜନ କରାଯାଉଥିବା କହିଛନ୍ତି ଅନୁଷ୍ଠାନର ସଦସ୍ୟ ଉମାନାଥ ମିଶ୍ର । ଯାହାଫଳରେ ମୂର୍ତ୍ତି ପ୍ରସ୍ତୁତିରେ ରସାୟନିକ ରଙ୍ଗ ବ୍ୟବହାର ନକରିବା ସହିତ ମାଟିରେ ପ୍ରସ୍ତୁତ ମୂର୍ତ୍ତିକୁ ପୁଣି ମାଟିରେ ମିଶାଇ ଦିଆଯାଇଥାଏ ବୋଲି ସେ କହିଛନ୍ତି ।
ତେବେ ଅନୁଷ୍ଠାନର ଏହି ପ୍ରୟାସକୁ ଦେଖି ଅନ୍ୟ ଅନୁଷ୍ଠାନ ସଚେତନ ହେବା ସହ ଏହି ଉପାୟ ଆପଣାଇ ଆଗାମୀ ଦିନରେ ବିରାଟ ପରିବର୍ତ୍ତନ ଆଣାଯାଇ ପାରିବ ବୋଲି ଆଶା କରାଯାଉଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ