ଭୁବନେଶ୍ବର: କଂଗ୍ରେସ ଭବନରେ ନିଆଁ ଲଗାଇବା ପଡିଲା ମହଙ୍ଗା । ପାର୍ଟି ଅଫିସ ଭିତରେ ପଶି ଗଣ୍ଡଗୋଳ, ଛାତ୍ର କଂଗ୍ରେସ ନେତାଙ୍କ ଅଫିସ ଉପରକୁ ପେଟ୍ରୋଲ ବୋମା ଫିଙ୍ଗିବା ଅଭିଯୋଗରେ ଗିରଫ ହୋଇଛନ୍ତି ପୁର୍ବତନ ଛାତ୍ର ନେତା ଇତିଶ ପ୍ରଧାନ । ଏହାସହ ତାଙ୍କ ସହଯୋଗୀ ପ୍ରସନ୍ନଜିତ୍ ମଲଙ୍କୁ ବି ଗିରଫ କରିଛି କମିଶନରେଟ ପୋଲିସ । କଂଗ୍ରେସ ଭବନ ଭିତରେ ପଶି ଗଣ୍ଡଗୋଳ ପାଇଁ ବ୍ୟବହୃତ କାଠ ଫାଳିଆ ଓ ବାଡ଼ି ମଧ୍ୟ ଜବତ କରିଛି ପୋଲିସ ।
ରବିବାର ସନ୍ଧ୍ୟାରେ ଶହୀଦନଗର ରମାଦେବୀ କଲେଜ ସାମ୍ନା ମାର୍କେଟରେ ଉଭୟ ଖଟି କରୁଥିବା ବେଳେ ଚଢ଼ାଉ କରି ଗିରଫ କରିଛି ପୋଲିସ । ଏନେଇ କମିସନରେଟ ପୋଲିସ ପ୍ରେସ ରିଲିଜ ଜାରି କରି ସୂଚନା ଦେଇଛି । ଗତ ଜାନୁଆରୀ ୮ ତାରିଖରେ ଇତିଶ ତାଙ୍କ ସହଯୋଗୀମାନଙ୍କ ସହିତ କଂଗ୍ରେସ ଭବନ ଭିତରେ ଧସେଇ ପଶିଥିଲା । NSUI କାର୍ଯ୍ୟାଳୟ ସମେତ ସଭାପତିଙ୍କ ଅଫିସ ଜାଳିଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ନିଆଁ ଲଗାଇ ସମସ୍ତ ଅଫିସ୍ ସାମଗ୍ରୀ ପୋଡି ପାଉଁଶ କରିଦେବା ସହ ଏସି ଏବଂ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ନଷ୍ଟ କରିଦେଇଥିଲେ । ଅଭିଯୁକ୍ତମାନେ ଦୁର୍ବ୍ୟବହାର କରିବା ସହ ଖଣ୍ଡା ଏବଂ ବନ୍ଧୁକ ଦେଖାଇ ଜୀବନରୁ ମାରିବାକୁ ଧମକ ଦେଇଥିଲେ । ଏହାପରେ ସେହି ଜାଗା ଛାଡ଼ି ଚାଲିଯାଇଥିଲେ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ଶେଷରେ ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ