ଭୁବନେଶ୍ବର: ଛୁଆଟି ଦିନରୁ ଏକା କରି ଆରପାରିକୁ ଚାଲିଯାଇଥିଲେ ବାପା । ପରେ ହାତ ଧରି ବଡ କରିଥିଲେ ବଡ ଭଉଣୀ । ଏ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ‘ମେଘମାଳା’ । ଯିଏ ଭିନ୍ନକ୍ଷମ ହେଲେ ବି ନିଜ ସ୍ବର ଯାଦୁରେ ବାନ୍ଧି ପାରିଛନ୍ତି ଅନେକଙ୍କ ହୃଦୟ । ଦୁନିଆର ଆଲୋକ ଦେଖିବାରେ ଅକ୍ଷମ ମେଘମାଳା କେବେ ନିଜ ଦୃଷ୍ଟିଶକ୍ତିକୁ ନେଇ ମନ ଉଣା କରିନାହାଁନ୍ତି ବରଂ ଭିନ୍ନକ୍ଷମ ହୋଇ ମଧ୍ୟ ନିଜ ପ୍ରତିଭା ବଳରେ ବଡ ବଡ ସଫଳତା ପାଇବାକୁ ରଖିଛନ୍ତି ଆଶା ।
ପିଲାଟି ବେଳୁ ସଙ୍ଗୀତର ଯାଦୁରେ ବାନ୍ଧି ହୋଇଥିଲେ ମେଘମାଳା । ଆଉ ବିନା କୌଣସି ଶିକ୍ଷା ଓ ସାହାଯ୍ୟରେ ସେ ବର୍ତ୍ତମାନ ଶେଷ କରିଛନ୍ତି ସଙ୍ଗୀତରେ ବିଷାରଦ । ଆଗକୁ ଇଚ୍ଛା ସଙ୍ଗୀତ ରତ୍ନ କରିବାର । ହେଲେ ଗରିବ ପରିବାର ପାଇଁ ଅର୍ଥ ସାଜିଛି ବାଧା। ଏକ ରେଡକ୍ରସ ସ୍କୁଲରେ ସଙ୍ଗୀତ ଶିକ୍ଷା ଦିଅନ୍ତି ମେଘମାଳା । ଯେଉଁଥିପାଇଁ ମାସକୁ ମାତ୍ର 4000ଟଙ୍କାର ମିଳେ ପାରିଶ୍ରମିକ ।
ଏତେ କମ ପାରିଶ୍ରମିକରେ ପରିବାର ଚଳାଇବା କଷ୍ଟକର ହେଉଥିବା ବେଳେ ସେଥିରେ ପୁଣି ଅଟୋ ଭଡାର ବୋଝ । ପ୍ରତିଦିନ ଅଟୋରେ ଯିବା ଆସିବାରେ ଚାଲିଯାଏ ଅଧା ଖର୍ଚ୍ଚ । ଏମିତିରେ ସଙ୍ଗୀତ ରତ୍ନାକର ପାଇଁ ଆବଶ୍ୟକ ପ୍ରାୟ 40,000 ଟଙ୍କା । କେଉଁଠୁ ଆଣିବେ ଅର୍ଥ ଓ କେମିତି ପୂରଣ କରିବେ ସ୍ବପ୍ନ, ସେନେଇ ଚିନ୍ତାରେ ମେଘମାଳା ।
ମେଘମାଳାଙ୍କର ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ହେବାର ବେଶ ଇଚ୍ଛା ରହିଛି । ସାଥୀରେ ସ୍ବପ୍ନ ରହିଛି ଭବିଷ୍ୟତରେ ନିଜ କଣ୍ଠରେ ଏକ ମ୍ୟୁଜିକ ସିଡି ରେକର୍ଡ କରିବେ । ଯାହା ଦ୍ବାରା ରାଜ୍ୟ ସାରା ଲୋକେ ତାଙ୍କୁ ଶୁଣିବା ସହ ତାଙ୍କ ପ୍ରତିଭାକୁ ଚିହ୍ନି ପାରିବେ । ତେବେ ଏହି ସ୍ବପ୍ନ ପୂରଣ କରିବା ପାଇଁ ସରକାରଙ୍କ ସହାୟତା ଲୋଡିଛନ୍ତି ମେଘମାଳା । ଯଦି ତାଙ୍କୁ ଟିକେ ସାହାଯ୍ୟ ମିଳନ୍ତା ତାହେଲେ ହୁଏତ ସଙ୍ଗୀତ ଜଗତକୁ ମିଳିଯାଆନ୍ତେ ଆଉ ଜଣେ ରାନୁ ମଣ୍ଡଳ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ