ଭୁବନେଶ୍ବର: ସରିଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲ। ଆରମ୍ଭ ହେଲା ନିର୍ବାଚନୀ ପ୍ରଚାର। ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ। ଘର ଘର ବୁଲି ପ୍ରଚାରକରିବା ସହିତ ସାଧାରଣ ସଭା କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି ସମସ୍ତ ପ୍ରାର୍ଥୀ। ଆଉ ପୋଷ୍ଟର,ବ୍ୟାନର ଓ ହୋର୍ଡ଼ିଂସ ବିନା ପ୍ରଚାର କାର୍ଯ୍ୟକ୍ରମ କେମିିତି ବା ସମ୍ଭବପର। ସବୁ ରାଜନୈତିକ ଦଳର ପ୍ରାର୍ଥୀମାନେ ଏହାର ସାହାରା ନେବା ସହ ସରକାରୀ ନିୟମର ବ୍ୟୟ ବରାଦକୁ ଅତିକ୍ରମ କରି ଯଥେଷ୍ଟ ପ୍ରଚାର ସାମଗ୍ରୀ କିଣିବାରେ ବ୍ୟସ୍ତ ସମସ୍ତ ପାର୍ଟି।
ତେବେ ବିଜେପିର ଦଳୀୟ ପ୍ରଚାର ଅତି ଉଚ୍ଚକୋଟିର। ବିକାଶର ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ। ଏହାସହ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଧାର୍ଯ୍ୟ ନୀତି ନିୟମ ଓ ଖର୍ଚ୍ଚ ସୀମା ଭିତରେ ପ୍ରଚାର କରାଯିବା ନେଇ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି। ସେହିପରି ୧୯ ବର୍ଷ ଧରି ରାଜ୍ୟବାସୀଙ୍କ ସହ କାମ କରି ଆସୁଛି ବିଜୁ ଜନତା ଦଳ। ଚଳିତ ବର୍ଷ ଦଳ ବିକାଶର ବାର୍ତ୍ତା ନେଇ ବ୍ୟାନର ,ହୋର୍ଡିଙ୍ଗ ମାଧ୍ୟମରେ ଦଳୀୟ ପ୍ରଚାରକୁ ସୀମିତ ରଖିବ ବୋଲି ବିଜେଡି ମୁଖପାତ୍ର ଡ଼ ସସ୍ମିତ ପାତ୍ର କହିଛନ୍ତି ।
ଅନ୍ୟପଟେକଂଗ୍ରେସ ମଧ୍ୟସ୍ଥିର ଓ ବିଶ୍ବାସଭାଜନ ଶାସନ ଦେବା ପ୍ରତିଶୃତି ନେଇ ଲୋକଙ୍କ ପାଖକୁ ଯିବାକୁ ପ୍ରସ୍ତୁତ। ତେବେ ଦଳ ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ପ୍ରଚାରକୁ ଜୋରଦାର କରିବ। ଏଥିପାଇଁ ସମସ୍ତ ପୋଷ୍ଟର ଦିଲ୍ଲୀରୁ ଆସୁଛି । କଂଗ୍ରେସ ଠିକ ସମୟରେ ଠିକ କାମ କରିବ ବୋଲି କଂଗ୍ରେସ ଉପସଭାପତି ଅର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି ।
ବାପୁଜାନଗର ଫ୍ଲେକ୍ସ ପ୍ରିଣ୍ଟଙ୍ଗ ପ୍ରେସ ବ୍ୟବସାୟୀଙ୍କ ମତରେ ସବୁ ଦଳର ପୋଷ୍ଟର, ବ୍ୟାନର ,ହୋର୍ଡ଼ିଂସ ଡିଜାଇନ ସରିଲାଣି। ଖାଲି ଅର୍ଡରମୁତାବକ ଛପା ଯାଇ ଡେଲିଭରୀ ଦିଆଯିବ ବୋଲି ବ୍ୟବସାୟୀ ସୁମିତ କହିଛନ୍ତି । ନିର୍ବାଚନ ଆୟୋଗ ପ୍ରଚାର ପାଇଁ ନିର୍ଦ୍ଧିଷ୍ଟ ଦେୟ ସୀମା ଧାର୍ଯ୍ୟ କରିଥିବାବେଳେ ବିଧାନସଭା ପ୍ରାର୍ଥୀ ପାଇଁ ୨୮ ଲକ୍ଷ ଓ ଲୋକସଭା ପ୍ରାର୍ଥୀ ପାଇଁ ୭୦ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି । ତେବେ ବ୍ୟୟବହୁଳ ପ୍ରଚାର ସମୟରେ ଏହା କେତେଦୂର ସମ୍ଭବ ହୋଇପାରିବତାହା ସାଧାରଣରେ ଚର୍ଚ୍ଚାର ବିଷୟ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ