ଭୁବନେଶ୍ବର: ମଣ୍ଡପରେ ପୁଜା ପାଇବେ ମା । ଟ୍ବିନସିଟିରେ ହେବ ଦୁର୍ଗାପୁଜା । ହେଲେ ୫ ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ହେବନାହିଁ । ମଣ୍ଡପରେ ୧୦ରୁ ଅଧିକ ଲୋକ ରହିବେ ନାହିଁ । ଆଲୋକମାଳା ଜାକଜକମ ଓ ମାଇକ ବାଜିବ ମଧ୍ୟ ବାଜିବ ନାହିଁ । ଚାନ୍ଦା ଆଦାୟକୁ ବି କୌଣସି ପ୍ରଶୟ ଦିଆଯିବନି । ଏଭଳି କଟକଣା ନେଇ ଏଥର ଦୁର୍ଗାପୂଜାରେ ହେବ ମା'ଙ୍କ ପୂଜାର୍ଚ୍ଚନା।
ଏଥର ଦଶହରାରେ ରାବଣ ପୋଡି ଓ ଭସାଣି ଉତ୍ସବ ଉପରେ ଲାଗିବ ରୋକ। କେବଳ ମୂର୍ତ୍ତି ବିସର୍ଜନ ପାଇଁ ଅନୁମତି ରହିଥିବା ବେଳେ ଯେପରି ପାରମ୍ପରିକ ବାଦ୍ୟ ତେଲିଙ୍ଗି ଓ ଶଙ୍ଖ ସହ ଘଣ୍ଟଘଣ୍ଟା ବାଜିବା ପାଇଁ ଦିଆଯିବ ଅନୁମତି। ଏଭଳି କଟକଣାରେ ଟ୍ବିନସିଟିର ପୂଜା ମଣ୍ଡପରେ ପୂଜା ପାଇଁ କମିସନରେଟ ପୋଲିସ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଏନେଇ ପୋଲିସ ସେବା ଭବନରେ ବିଭିନ୍ନ ପୂଜା କମିଟି ଓ ଭସାଣୀ ଉତ୍ସବ କମିଟି କର୍ମକର୍ତ୍ତାଙ୍କ ଗହଣରେ ପୋଲିସ କମିସନର ଓ ଭୁବନେଶ୍ବର ଡିସିପିଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଉପସ୍ଥିତିରେ ନିଆଯାଇଛି ନିଷ୍ପତ୍ତି ।
ସେପଟେ କେବଳ ସକାଳ ସମୟରେ ଚଣ୍ଡିପାଠ ପାଇଁ ମାଇକ ବାଜିବାକୁ ଅନୁମତି ମାଗିଛନ୍ତି ପୂଜାମଣ୍ଡପ କର୍ତ୍ତୃପକ୍ଷ। ହେଲେ ରାବଣପୋଡି ନ କରିବାକୁ ଦିଆଯାଇଛି କଡା ନିର୍ଦେଶ। ଏଭଳି କଟକଣାରେ ଏଥର ଶାରଦୀୟ ଦୁର୍ଗା ପୂଜାକୁ ମିଳିଛି ଗ୍ରୀନ ସିଗନାଲ। ତେବେ ପ୍ରଥମ ବୈଠକରେ ଏପରି ନିଷ୍ପତି ନିଆଯାଇଥିବା ବେଳେ ପରବର୍ତ୍ତୀ ପର୍ଯାୟରେ ପରିସ୍ଥିତି ସ୍ବଭାବିକ ହେଲେ ନିୟମରେ ହୋଇପାରେ ପରିବର୍ତ୍ତନ। ତେବେ କୋରୋଣା କଟକଣା ପାଇଁ ଦୁଆର ଦୁଆର ବୁଲି ଚାନ୍ଦା ଆଦାୟ ହେବନି । ସାଜସଜା, ଭସାଣି, ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବାତିଲ ରହିଛି। ପୂର୍ବ ବର୍ଷ ଅପେକ୍ଷା 90 ପ୍ରତିଶତ କମ ଖର୍ଚ୍ଚରେ ପୂଜା ହେବ । ମୋଟ 184 ପୂଜା କମିଟିକୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ