ଭୁବନେଶ୍ବର: ରାଜ୍ୟରେ ବଢୁଛି ମଦୁଆ ଡ୍ରାଇଭରଙ୍କ ସଂଖ୍ୟା । ୨୦୨୧ରେ ମଦ ପିଇ ଧରାପଡିଥିବା ଗାଡି ଚାଳକଙ୍କ ସଂଖ୍ୟା ପାଖାପାଖି ୪ ହଜାର ରହିଛି । ୨୦୨୦ ତୁଳନାରେ ଏହା ପ୍ରାୟ ୪ ଗୁଣା ଅଧିକ । ଏଭଳି କିଛି ଚମକେଇଲା ପରି ଉତ୍ତର ବିଧାନସଭାରୁ ଆସିଛି । ବିଧାୟକ ନବଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଗୃହରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ''୨୦୨୦ ମସିହାରେ ୯୫୬ ଜଣ ମଦୁଆ ଡ୍ରାଇଭରଙ୍କ ବିରୋଧରେ ଇ-ଚାଲାଣ କଟାଯାଇଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୩,୯୨୭ ହୋଇଥିଲା । ସେହିଭଳି ୨୦୨୦ରେ ୫୨୬ ଜଣ ମଦୁଆ ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବିତ ହୋଇଥିବା ବେଳେ ୨୦୨୧ରେ ନିଲମ୍ବିତ ଲାଇସେନ୍ସ ସଂଖ୍ୟା ୮୧୯ ରହିଥିଲା ।''
ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ଯେ, ''୨୦୦୮ ମସିହାରେ ରାଜ୍ୟରେ ସଡକ ଦୁର୍ଘଟଣାରେ ୩,୦୭୯ ଜଣ ବ୍ୟକ୍ତି ପ୍ରାଣ ହରାଇ ଥିଲେ । ୨୦୧୩ରେ ଏହା ୪,୦୪୬ରେ ପହଞ୍ଚି ଥିଲା । ୨୦୨୦ରେ ମୃତ୍ୟୁ ସଂଖ୍ୟା ୪,୭୩୮ ଥିବାବେଳେ ୨୦୨୧ରେ ଏହି ସଂଖ୍ୟା ୫୦୮୧ରେ ପହଞ୍ଚିଛି । ଚଳିତବର୍ଷ ଜାନୁଆରୀରୁ ମଇ ମାସ ମଧ୍ୟରେ ରାଜ୍ୟରେ ୨,୩୫୭ ଜଣ ସଡକ ଦୁର୍ଘଟଣାରେ ଆଖି ବୁଜିଲେଣି । ରାଜ୍ୟରେ ନିଶା ସେବନ କାରଣରୁ ଦୁର୍ଘଟଣା ବଢୁଥିବାରୁ ଏହାକୁ ରୋକିବା ଲାଗି ସୁପ୍ରିମକୋର୍ଟଙ୍କର ସଡକ ସୁରକ୍ଷା କମିଟି କଡା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ ମଦ ପିଇ ଧରାପଡିଥିବା ଗାଡି ଚାଳକମାନଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ନିଲମ୍ବନ କରାଯାଉଛି । ସେମାନଙ୍କ ବିରୋଧରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଅଦାଲତକୁ ପଠାଯାଉଛି । ମଦୁଆ ଗାଡି ଚାଳକଙ୍କୁ ତଦାରଖ କରିବା ପାଇଁ ପୋଲିସ ବିଭାଗ ଓ ପରିବହନ ବିଭାଗର ଏନଫୋର୍ସମେଣ୍ଟ ଅଧିକାରୀମାନଙ୍କୁ ବ୍ରେଥ୍ ଆନାଲାଇଜର ପ୍ରଦାନ କରାଯାଉଛି ।''
''ରାଜ୍ୟରେ ସଡକ ଦୁର୍ଘଟଣା ହ୍ରାସ ପାଇଁ ମଦୁଆ ଗାଡି ଚାଳକମାନଙ୍କୁ ନିୟନ୍ତ୍ରଣ କରିବାକୁ କଡା ପଦକ୍ଷେପ ଗ୍ରହଣ କରାଯାଉଛି । ବିଶେଷକରି ଦ୍ରୁତଗତିରେ ଗାଡି ଚଳାଉଥିବା ଓ ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରମାନଙ୍କୁ ଧରି ସେମାନଙ୍କ ଲାଇସେନ୍ସ ରଦ୍ଦ ସହିତ ଆର୍ଥିକ ଦଣ୍ଡ ମଧ୍ୟ ଲଗାଯାଉଛି । ରାଜ୍ୟର ୫ଟି ଦୁର୍ଘଟଣା ପ୍ରବଣ ରାସ୍ତାରେ ରାଜପଥ ପାଟ୍ରୋଲିଂକୁ କଡାକଡି କରାଯାଉଛି । ୧୦ଟି ଜିଲ୍ଲା ସମେତ ପୋଲିସ କମିଶନରେଟ୍ ଇଲାକାରେ ଟ୍ରାଫିକ ଭିଡ ନିୟନ୍ତ୍ରଣ ଲାଗି ଛାତ୍ରଛାତ୍ରୀଙ୍କୁ ସ୍ବେଚ୍ଛାସେବୀ ଭାବେ ମୁତୟନ କରାଯାଉଛି । ରାଜ୍ୟର ଯେଉଁସବୁ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି ତାହାକୁ ଚିହ୍ନଟ କରାଯିବା ସହିତ ଏଥର ଯେଭଳି ଦୁର୍ଘଟଣା ନ ଘଟିବ ସେ ଦିଗରେ ପଦକ୍ଷେପ ନିଆଯାଉଛି ।'' ରାଜ୍ୟ ସରକାର ସ୍କୁଲ ବସ୍ ପଲିସି ପ୍ରଣୟନ କରିଥିବା ବେଳେ ଆଗାମୀ ଦିନରେ ଇଣ୍ଟେଲିଜେଣ୍ଟ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର