ଭୁବନେଶ୍ବର: ଓଡିଶାରେ ହେବ ଅର୍ନ୍ତଦେଶୀୟ ବିପର୍ଯ୍ୟୟ ମୁକାବିଲା ମକଡ୍ରିଲ। ଫେବୃଆରୀ 11ରୁ 14 ପର୍ଯ୍ୟନ୍ତ ଏହା ଚାଲିବ। ପୁରୀର ରାମଚଣ୍ଡୀରେ 7ଟି ଦେଶର ସମନ୍ବୟରେ ଏହି ବିପର୍ଯ୍ୟୟ ମୁକାବିଲା ସମ୍ପର୍କିତ ମକଡ୍ରିଲ ହେବ।
ଏଥିରେ ବାଂଲାଦେଶ, ଭୁଟାନ, ଥାଇଲାଣ୍ଡ, ଡେନ ମାର୍କ, ନେପାଳ, ଭାରତ, ଶ୍ରୀଲଙ୍କା ଭାଗ ନେବେ। ରାମଚଣ୍ଡିରେ ମକ ଡ୍ରିଲ ପାଇଁ ସ୍ବତନ୍ତ୍ର ଗାଁ, ମନ୍ଦିର ତିଆରି କରାଯିବ। ବନ୍ୟା, ବାତ୍ୟା ଏବଂ ମନ୍ଦିର ଭୁଶୁଡିଲେ କେମିତି ପରିଚାଳନ ହେବ ସେନେଇ ସମନ୍ବୟ ଡ୍ରିଲ ହେବ।
ଏହା 11 ତାରିଖ ଦିନ ଭୁବନେଶ୍ବରର ଏକ ତାରକା ହୋଟେଲରେ ଉଦ୍ଘାଟନ ହେବ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଓଡିଶାକୁ ନୋଡାଲ ଏଜେନ୍ସି ଭାବେ ଚୟନ କରାଯାଇଛି। ଓଡିଶାର ବିପର୍ଯ୍ୟୟ ପରିଚାଳନା ଅନୁଭୂତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଏନଡିଆରଏଫ ଡିଜି ଏସ.ଏନ ପ୍ରଧାନ।
ଏନେଇ ଏନଡିଆରଏଫ ଡିଜି ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କରିଛନ୍ତି। ସେହିପରି ଆଜି(ସୋମବାର) ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ