ଭୁବନେଶ୍ବର : ଦେଶରେ କୋରୋନାର ଦ୍ବିତୀୟ ସଂକ୍ରମଣ ଭୟଙ୍କର ରୂପ ନେଇଛି । ଏହାକୁ ଦୃଷ୍ଟିରୁ ରଖି ଜନଜାତି ସଂଗ୍ରହାଳୟ ଓ କଳାଭୂମିକୁ ବନ୍ଦ କରାଯାଇଛି । ଏ ନେଇ ମଙ୍ଗଳବାର ଉଭୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ କରାଯାଇଛି ଜନଜାତି ସଂଗ୍ରହାଳୟ । ତେବେ ଭର୍ଚୁଆଲ୍ ମୋଡ଼ରେ ଜନଜାତି ସଂଗ୍ରହାଳୟ ପରିଦର୍ଶନ କରାଯାଇପାରିବ । ଆସନ୍ତା ରବିବାରଠାରୁ ଦର୍ଶକ ଓ ପର୍ଯ୍ୟଟକମାନେ ଭଚୁଆଲ୍ ମୋଡରେ ଜନଜାତି ସଂଗ୍ରହାଳୟକୁ ବୁଲି ଦେଖୁବାର ସୁଯୋଗ ପାଇବେ ।
www.ostm.in ମାଧ୍ୟମରେ ଘରେ ବସି ପ୍ରତିଦିନ ଜନଜାତି ସଂଗ୍ରହାଳୟ ସଂପର୍କରେ ତଥ୍ୟ ଜାଣିହେବ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ . ଅଶୂଳ ବିହାରୀ ଓତା ସୂଚନା ଦେଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ କଳାଭୂମି ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟକୁ ବନ୍ଦ କରାଯାଇଛି । ଗଣ୍ଡମୁଣ୍ଡାସ୍ଥିତ କଳାଭୂମି - ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟକୁ କିଛି ଦିନ ପାଇଁ ବନ୍ଦ କରାଯାଇଛି । କଳାଭୂମିରେ ଥିବା ବିକ୍ରୟ କେନ୍ଦ୍ର ମଧ୍ୟ ଦର୍ଶକମାନଙ୍କ ନିମନ୍ତେ ସାମୟିକ ଭାବେ ବନ୍ଦ କରାଯାଇଥିବା ବିଭାଗ ସୂତ୍ରରୁ ଜଣାପଡିଛି ।