ଭୁବନେଶ୍ବର: କୋରୋନାର ଦ୍ରୁତ ବୃଦ୍ଧିକୁ ଦେଖି ଡିଏମଇଟି ସିବିକେ ମହାନ୍ତିଙ୍କ ବଡ ପ୍ରତିକ୍ରିୟା । ଏପ୍ରିଲ ଶେଷ କିମ୍ବା ମେ ପହିଲାରୁ ରାଜ୍ୟରେ କୋରୋନାର ସଂକ୍ରମଣ ମାତ୍ରାଧିକ ବୃଦ୍ଧି ପାଇବ । ପ୍ରତିଦିନ କେସ୍ ସଂଖ୍ୟା ପିକରେ ରହିବ, ପରେ ଧିରେ ଧିରେ କମିପାରେ ବୋଲି କହିଛନ୍ତି ଡିଏମଇଟି । ଅନ୍ୟପଟେ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବିପଦକୁ ଆକଳନ କରି ସ୍ୱାସ୍ଥ୍ୟ ବିଭାଗ ନିଜର ପ୍ରସ୍ତୁତି ପ୍ରକ୍ରିୟାକୁ ଜୋରଦାର କରିଛି । ବିଭିନ୍ନ ହସ୍ପିଟାଲରେ ବେଡ଼, ଆଇସିୟୁ, ଭେଣ୍ଟିଲେଟର ଓ ଅକ୍ସିଜେନର ଆବଶ୍ୟକତାକୁ ନେଇ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରସ୍ତୁତି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକତା ଅନୁସାରେ ବେଡ଼, ଆଇସିୟୁ ଓ ଲଜିଷ୍ଟିକ ବୃଦ୍ଧି କରାଯାଉଛି । ଯେଉଁ ଜିଲ୍ଲାରେ ଦ୍ବିତୀୟ ଲହରରେ ଅଧିକ ସଂକ୍ରମଣ ଆଶଙ୍କା ରହିଛି ସେନେଇ ଆଲୋଚନା ହୋଇଛି । ବର୍ତ୍ତମାନ ସ୍ଥିତିରେ ଯାହା ଦୃଶ୍ୟମାନ ହେଉଛି ଯେ ସଂକ୍ରମଣ ହାର ବଢ଼ିଛି କିନ୍ତୁ ମୃତ୍ୟୁହାର କମ ରହୁଛି ।
ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ସଂକ୍ରମିତ ତଳେ ଶୋଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଏମଇଟି ସି.ବି.କେ ମହାନ୍ତି । ବର୍ତ୍ତମାନ ସୁଦ୍ଧା ପଶ୍ଚିମ ଓଡିଶାରେ କୌଣସି ସ୍ଥାନରେ ରୋଗୀ ତଳେ ଶୋଇବାର ନଜର ଆସିନାହିଁ । ଏବେ 30 ପ୍ରତିଶତ ବେଡ଼ରେ ରୋଗୀ ଅଛନ୍ତି । ଆହୁରି 70 ପ୍ରତିଶତ ବେଡ଼ ଖାଲି ଅଛି । ଆଇସିୟୁ ବେଡ଼ 60 ପ୍ରତିଶତ ବ୍ୟବହାର ହେଉଛି । ବେଡ଼ ସଂଖ୍ୟା ବୃଦ୍ଧି କରିବା ଲାଗି ଦୃତ ଗତିରେ ପଦକ୍ଷେପ ନିଆଯାଉଛି । ତେଣୁ ଆଶା ଅଛି କୌଣସି ସ୍ଥିତିରେ ବେଡ଼ ଓ ଆଇସିୟୁର ଅଭାବ ରହିବ ନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ରାଜ୍ୟରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ସଂକ୍ରମିତ ହୋଇଛନ୍ତି । ହେଲେ ଓଡିଶାରେ ଡାକ୍ତରଙ୍କର ଅଭାବ ନାହିଁ ।
କେଉଁ ସ୍ଥାନରେ ବେଡ଼ ବୃଦ୍ଧି କରାଯିବ, ସେନେଇ ଆକଳନ କରାଯାଉଛି । ଆହୁରି ଆଇସିୟୁ ବେଡ଼ କିଣାଇବା ଲାଗି ନିଷ୍ପତ୍ତି ହୋଇଛି । ଭେଣ୍ଟିଲେଟର ଆବଶ୍ୟକ ହେଉଥିବା ରୋଗୀ ସଂଖ୍ୟା ମାତ୍ର 16 ପ୍ରତିଶତ ଅଛନ୍ତି । ବୁର୍ଲାରେ ଏଚଡିୟୁ ଓ ଆଇସିୟୁକୁ ମିଶାଇ 125କୁ ବଢ଼ାଇବାକୁ ସରକାର ଯୋଜନା କରିଛନ୍ତି । ଏସସିବିରେ 50ଟି ଆଇସିୟୁ ବେଡ଼ ବଢ଼ାଇବା ଲାଗି ନିଷ୍ପତ୍ତି ହୋଇଛି । ସେହିପରି ବଲାଙ୍ଗୀରରେ 40ଟି ବେଡ଼ ବଢ଼ାଯିବ ।
ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ଅକ୍ସିଜେନର ସମସ୍ୟା ନାହିଁ । ଅଗାମୀ ଦିନର ଆବଶ୍ୟକତା ମେଣ୍ଟାଇବା ଲାଗି ରାଜ୍ୟ ପ୍ରସ୍ତୁତ ହୋଇ ରହିଛି । ରାଜ୍ୟରେ 29ଟି ସଂସ୍ଥା ଅକ୍ସିଜେନ ପ୍ରସ୍ତୁତ କରି ଯୋଗାଣ କରୁଛନ୍ତି । ଓଡିଶାରେ ଆବଶ୍ୟକତା ଅନୁସାରେ ସେମାନେ ପୂରଣ କରୁଛନ୍ତି । ଷ୍ଟିଲ ପ୍ଲାଣ୍ଟ, ପେଟ୍ରୋକେମିକାଲ ଶିଳ୍ପ ଭଳି ଶିଳ୍ପାନୁଷ୍ଠାନଗୁଡ଼ିକ ମଧ୍ୟ ଅକ୍ସିଜେନ ଯୋଗାଇ ପାରିବେ । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏକାକୀ 1700 ମେଟ୍ରିକ ଟନ ଅକ୍ସିଜେନ ଉତ୍ପାଦନ କରିବାକୁ ସକ୍ଷମ । ଏମିତି ଆହୁରି ଅନେକ ଷ୍ଟିଲ ପ୍ଲାଣ୍ଟ ଓ ପେଟ୍ରୋକେମିକାଲ ଶିଳ୍ପ ରାଜ୍ୟରେ ଅଛନ୍ତି । ତେଣୁ ଦରକାର ପଡ଼ିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନେଇ ଅକ୍ସିଜେନ ଆବଶ୍ୟକତାକୁ ରାଜ୍ୟ ପୂରଣ କରିପାରିବ । ସେଥିପାଇଁ କୌଣସି ପରିସ୍ଥିତିରେ ରାଜ୍ୟରେ ଅକ୍ସିଜେନ ସର୍ଟେଜ ହେବ ନାହିଁ ବୋଲି ଆଶା କରାଯାଉଛି ।
ଏପ୍ରିଲ ମାସରେ ସଂକ୍ରମଣ ପିକକୁ ଯିବ ବୋଲି ପୂର୍ବରୁ ଗବେଷକମାନେ ଆକଳନ କରିଥିଲେ । କିନ୍ତୁ ଏବେ ଯାହା ଆକଳନ ହୋଇଛି, ମେ ମାସରେ ପିକକୁ ଯିବ । ସେଥିପାଇଁ ଆହୁରି ସମୟ ବି ଲାଗିପାରେ । କାରଣ ଅନେକ ସମୟରେ ଦେଖାଯାଇଛି ଯେ ଯେଉଁ ଗତିରେ ସଂକ୍ରମଣ ହାର ବଢେ, ସେହି ଅନୁସାରେ ହ୍ରାସ ପାଏ । ଏହାକୁ ଦୃଷ୍ଟିରେ ରଖି ଅଧିକ ସତର୍କ ହେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ