ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏହାକୁ ଅଭିଯୋଗ କରି ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହି ସମୟରେ ଶାସକ ବିଜେଡି ଅହେତୁକ ଗ୍ୟାସ ଦର ବୃଦ୍ଧିକୁ (LPG Price Hike) ବିରୋଧ କରି ସମଗ୍ର ରାଜ୍ୟରେ କେନ୍ଦ୍ର ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ ଆରମ୍ଭ କରିଛି ।
ତେବେ ଏହାକୁ ସହଜରେ ଗ୍ରହଣ କରିପାରିନି କଂଗ୍ରେସ । ବିଜେଡିର ଗ୍ୟାସ ଦରବୃଦ୍ଧି ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନକୁ କଟାକ୍ଷ କରିଛି କଂଗ୍ରେସ (Congress) । ଏହାକୁ ନେଇ ଆଜି(ସୋମାବର) କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, "୨୦୧୪ରୁ ତୈଳ ଦରବୃଦ୍ଧି ପାଇଛି, ହେଲେ ଏବେ କ'ଣ ବିଜେଡିର ମନେପଡ଼ିଲା ? ରାଜ୍ୟସଭା ଓ ଲୋକସଭାରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଜଣାଉଛି । ଏପରିକି ୩୦ଟି ବିଲ ଆଗତ ସମୟରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛି । ଆଉ ଆଜି ବିଜେଡି (BJD) ବିକ୍ଷୋଭ କରୁଛି । ବିଜେଡି ଏଣ୍ଡୁଅ ଭଳି ରୂପ ବଦଳାଉଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ନିରବଚ୍ଛିନ୍ନ ଭାବରେ ୨୦୧୪ ରୁ କଂଗ୍ରେସ ଦରଦାମ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରୁଛି ।"
ଦରବୃଦ୍ଧିକୁ ନେଇ କଂଗ୍ରେସ ଓଡ଼ିଶା ବନ୍ଦ ଓ ଭାରତ ବନ୍ଦ ଡାକରା ମଧ୍ୟ ଦେଇଛି । ସାରା ଭାରତରେ ଜନ ଜାଗରଣ ଯାତ୍ରା ମାଧ୍ୟମରେ କେନ୍ଦ୍ର ସରକାର ଉପରେ ଚାପ ପ୍ରୟୋଗ କରିଛି । ହେଲେ ସବୁବେଳେ ଚୁପ୍ ଥିବା ବିଜେଡି ଆଜି ହଠାତ ଗ୍ୟାସ ଦର କଥା କହୁଛି ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର । ସମସ୍ତ ରାଜନୈତିକ ଦଳ ଏକ ହୋଇ ଦରଦାମ ବୃଦ୍ଧିକୁ ବିରୋଧ କରୁଥିବା ବେଳେ ଚୁପ ବସିଥିଲା ବିଜେଡି ବୋଲି ଅଭିଯୋଗ କରିଛି କଂଗ୍ରେସ ।
ବିଜେଡି ଏବେ ନୂଆ ଦାବି କରୁଛି । ପେଟ୍ରୋଲ ଡିଜେଲ ଉପରେ କଣ ପାଇଁ ମାତ୍ର 3 ଟଙ୍କା ଭ୍ୟାଟ ଟିକସ କମାଇଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଗ୍ୟାସ ଦର କଥା କହିବା ପୂର୍ବରୁ ପେଟ୍ରୋଲ ଡିଜେଲ ଉପରୁ ଅଧିକ ଟିକସ କମ୍ କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ