ଭୁବନେଶ୍ବର: ସ୍ବାଧୀନତା ଦିବସ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି କମିଶନରେଟ ପୋଲିସ । ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ରାଜଧାନୀର ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ପରେଡ କରାଯିବ । ଏହି ସମୟରେ ଭିଡ଼ ନିୟନ୍ତ୍ରଣ କରିବା ଉପରେ ଧ୍ୟାନ ଦେଉଛି କମିଶନରେଟ ପୋଲିସ । ସକାଳ ୬.୩୦ ମିନିଟରେ ପରେଡ ଆରମ୍ଭ ହେବ । ଏହି ସମୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଛି ।
ଏହି ସ୍ବତନ୍ତ୍ର ନିର୍ଦ୍ଦେଶ ଅନୁଯାୟୀ ପରେଡ ଶେଷ ହେବା ଯାଏଁ ସ୍ବାଧିନତା ଦିବସ ଦିନ କୌଣସି ଗାଡ଼ି ରାମ ମନ୍ଦିର ଦେଇ ଯିବା ଆସିବା କରି ପାରିବ ନାହିଁ । ଏମବିଏସ ସ୍କୁଲଠାରୁ ସେଣ୍ଟ ଜୋସେଫ୍ ସ୍କୁଲ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ । ହାଉସିଂ ବୋର୍ଡରୁ ରାମମନ୍ଦିର ଛକଆଡ଼କୁ ଯିବାକୁ ଥିବା ବ୍ୟକ୍ତି ବିଶେଷ ଏମବିଏସ ସ୍କୁଲ ରାସ୍ତା ଓ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଯାଇ ପାରିବେ । ସେପଟେ ରାମ ମନ୍ଦିର ଛକରୁ ହାଉସିଂ ବୋର୍ଡ ଯିବାକୁ ଥିବା ବ୍ୟକ୍ତି ବିଶେଷ ମାନେ ସେଣ୍ଟ ଜୋସେଫ ସ୍କୁଲ ଗଳି ରାସ୍ତା ଦେଇ ଯାଇ ପାରିବେ ।
ପିଏମଜି ଓ କେଶରୀ ଟକୀଜ ପଟୁ ଆସୁଥିବା ସମସ୍ତ ଗାଡ଼ି ଚାର୍ଲି ହୋଟେଲ ରାସ୍ତା ଓ ସଚିବାଳୟ ମାର୍ଗ ଦେଇ ଯିବା ଆସିବା କରିପାରିବେ । ସେପଟେ ପରେଡ ଯୋଗ ଦେବାକୁ ଆସୁଥିବା ଭିଭିଆଇପିଙ୍କ ପାଇଁ ସ୍ବତନ୍ତ୍ର ଗାଡ଼ି ପାର୍କିଂର ବ୍ୟବସ୍ଥା କରାଯାଇଛି । ପ୍ରଦର୍ଶନୀ ପଡ଼ିଆର ଗେଟ ନମ୍ବର ୧କୁ ପ୍ରବେଶ କଲାପରେ ପାର୍ଶ୍ବରେ ଥିବା ଖାଲି ସ୍ଥାନରେ ଭିଭିଆଇପି ଗାଡ଼ି ପାର୍କ କରି ପାରିବେ । ଭିଆଇପିଙ୍କ ଗାଡ଼ି ପାର୍କିଂ ପାଇଁ ଗେଟ୍ ନମ୍ବର ଦୁଇ ବାମ ପାର୍ଶ୍ବରେ ବ୍ୟବସ୍ଥା କରାଯାଇଛି । ଗଣମାଧ୍ୟମ ଗାଡ଼ି ପାର୍କିଂ ପାଇଁ ଗେଟ ନମ୍ବର ୫ର ବାମ ପାର୍ଶ୍ବରେ ବ୍ୟବସ୍ଥା କରାଯାଇଛି । ପରେଡରେ ଭାଗ ନେଇଥିବା ପୋଲିସି ବାହିନୀ ଓ ଅନ୍ୟ ଦଳ ସେଣ୍ଟ ଜୋସେଫ ସ୍କୁଲ୍ ଓ ଏମବିଏସ ସ୍କୁଲ ଗଳିରେ ଗାଡ଼ି ପାର୍କିଂ କରି ପାରିବେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ