ଭୁବନେଶ୍ବର: ନବ ନିଯୁକ୍ତ ଅଧ୍ୟାପକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ସରକାରଙ୍କ ପ୍ରୟାସ ଜାରି ରହିଛି । ବିଶ୍ବବିଦ୍ୟାଳୟରେ ସେଣ୍ଟର ଅଫ ଏକ୍ସଲେନ୍ସ ପ୍ରତିଷ୍ଠା କରାଯାଇଛି । ଏଥିପାଇଁ 299 ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦିଆଯାଇଛି ନିଯୁକ୍ତି ପତ୍ର ।
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସିଲେକ୍ସନ ବୋର୍ଡ ୮୩୩ଟି ଅଧ୍ୟାପକ ପଦ ପୂରଣ ପାଇଁ ଅନୁରୋଧ କରିଥିଲା । ସେଥିମଧ୍ୟରୁ ବୋର୍ଡ ୯ଟି ବିଭାଗରେ ୨୯୯ଟି ଅଧ୍ୟାପକ ପଦ ପୂରଣ ପାଇଁ ଚୟନ ପ୍ରକ୍ରିୟା ଚୂଡାନ୍ତ କରିଛି । ଅବଶିଷ୍ଟ ପଦ ପାଇଁ ଆଗାମୀ ଦିନରେ ଚୟନ କରାଯିବ ।
ତେବେ ମନୋନୀତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତ କରାଯାଇଛି । ନବନିଯୁକ୍ତଙ୍କୁ 5'ଟି' ମନ୍ତ୍ର ଉପରେ କାର୍ଯ୍ୟକାରୀ କରିବାକୁ କୁହାଯାଇଥିବା ବେଳେ ଆଗାମୀ ଦିନରେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ବଳ କରିବାକୁ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।
ସେପଟେ ନବନିଯୁକ୍ତି ଅଧ୍ୟାପକ ଓ ଅଧ୍ୟାପିକାମାନେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଖୁସି ଅନୁଭବ କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ଶିକ୍ଷକତା ଉପରେ ଉଚିତମାନ ରଖିବେ ବୋଲି କହିଛନ୍ତି ନବନିଯୁକ୍ତି ଅଧ୍ୟାପକ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ