ଭୁବନେଶ୍ବର: ସ୍ବାସ୍ଥ୍ୟସେବାରେ ଯୋଡିହେଲା ବିକାଶର ଆଉ ଏକ ନୂଆ ଫର୍ଦ୍ଦ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM launches Air Ambulance Health Service) । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହାର ଶୁଭାରମ୍ଭ ହୋଇଯାଇଛି ।
ଏହାର ପ୍ରାଥମିକ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାକୁ ବାୟୁ ସ୍ବାସ୍ଥ୍ୟ ସେବାରେ ସାମିଲ କରାଯାଇଛି । ଆଜି ଏସସିବିରୁ ଏକ ଡାକ୍ତର ଟିମ ମାଲକାନଗିରିକୁ ଯାଉଛନ୍ତି । ଯେଉଁ ଜିଲ୍ଲାରେ ଉନ୍ନତ ଚିକିତ୍ସା ସୁବିଧା ନାହିଁ, ସେଠାକୁ ବିମାନ ମାଧ୍ୟମରେ ସ୍ପେଶାଲିଷ୍ଟ ଡାକ୍ତର ଯିବେ । ବିଭିନ୍ନ ମେଡିକାଲ କଲେଜ ଏବଂ କର୍ପୋରେଟ୍ ହସ୍ପିଟାଲର ଦକ୍ଷ ଡାକ୍ତରମାନେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଏହିସବୁ ଜିଲ୍ଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡନୀ ରୋଗୀଙ୍କ ଭଳି ସୁପର ସ୍ପେଶାଲିଷ୍ଟ ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ଚିକିତ୍ସା କରିବେ । ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ।
ଆଗକୁ ଅନ୍ୟ ଜିଲ୍ଲା ଗୁଡିକୁ ଏହି ଯୋଜନାରେ ସାମିଲ ମଧ୍ୟ କରାଯିବ । ଉପାନ୍ତ ଅଞ୍ଚଳ ଗୁଡ଼ିକରେ ଗୁରୁତର ରୋଗୀଙ୍କୁ ତୁରନ୍ତ ଏବଂ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏହା ରାଜ୍ୟ ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ ଓ ଭବାନୀ ଶଙ୍କର ଦାସ, ଇଟିଭି ଭାରତ